ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ ଚାହୁଁଥିଲେ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
ପାର୍ସଲ ବୋମା: ସୌମ୍ୟଶେଖରଙ୍କ ବାପା କହିଲେ, “ପୁଞ୍ଜିଲାଲକୁ ମିଳୁ ଫାଶି”
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ସାମାନ୍ୟ ଅଧ୍ୟକ୍ଷ ପଦ ପାଇଁ ଯେଉଁ ପୁଞ୍ଜିଲାଲ ଏଭଳି ଘୃଣ୍ୟ କାଣ୍ଡ ଘଟାଇଛି ତାକୁ ଫାଶି ଦେବା ପାଇଁ ମୃତ ସୌମ୍ୟଶେଖରଙ୍କ ବାପା ଦାବି କରିଛନ୍ତି।
ଚିଟଫଣ୍ଡ ଠକେଇ: କ୍ଷୁଦ୍ର ଜମାକାରୀଙ୍କୁ ମିଳିବ ଟଙ୍କା
ବହୁ ଚର୍ଚ୍ଚିତ ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜମାକାରୀଙ୍କ ପାଇଁ କିଛି ଆଶାର ସଂଚାର ହୋଇଛି। ଓଡ଼ିଶା ସରକାର ଇତିମଧ୍ୟରେ ଚିଟଫଣ୍ଡ ଜମା ଟଙ୍କା ଫେରାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ହେଲେ ଫେରସ୍ତ ପାଇବା ଲୋକଙ୍କ ମଧ୍ୟରେ ଅଛନ୍ତି କେବଳ ଛୋଟ ଜମାକାରୀ। ଚିଟଫଣ୍ଡ ଘୋଟାଲା ପଦାକୁ ଆସିବା ପରେ ଓ ଏନେଇ ଜନ ଅସନ୍ତୋଷ ବୃଦ୍ଧି ଯୋଗୁଁ ସରକାର ୨୦୧୩ ମସିହାରେ ଏକ ପାଣ୍ଠି ଗଠନ କରିଥିଲେ। ଏହି ପାଣ୍ଠିରୁ ଲୋକଙ୍କୁ ସେମାନଙ୍କ ଅର୍ଥ ଫେରାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସରକାର।
କିଏ କହୁଛି ସତ: ଉଷସୀ ନା ଇନ୍ଦ୍ରମଣି?
ଅଭିନେତ୍ରୀ ଉଷସୀ ମିଶ୍ର ଆଣିଥିବା ଅସଦାଚରଣ ଅଭିଯୋଗ ଗୁରୁବାର ଭିନ୍ନ ମୋଡ଼ ନେଇଛି। ଯାତ୍ରା ପରିବେଷ ପାଇଁ ଯାଉଥିବା ବେଳେ ଅନୁଗୁଳ ଜିଲ୍ଲା ଡେରଙ୍ଗଠାରେ ଇନ୍ଦ୍ରମଣି ସାହୁ ଏବଂ ତାଙ୍କ ଦୁଅ ଅସଦାଚରଣ କରିଥିବା ଉଷସୀ କଣିହାଁ ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ କାଉଣ୍ଟର କରି ଇନ୍ଦ୍ରମଣି ତାଳଚେର ଏସ୍ଡିଜେଏମ୍ କୋର୍ଟରେ ଇନ୍ଦ୍ରମଣି ପାଲଟା ଅଭିଯୋଗ କରିଛନ୍ତି।
୬ ଦିନିଆ ରିମାଣ୍ଡରେ ପୁଞ୍ଜିଲାଲ
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାରେ ଗୁରୁବାର ପୁଞ୍ଜିଲାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କ୍ରାଇମବ୍ରାଞ୍ଚ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡଙ୍କୁ ହେପାଜତକୁ ନେଇଛି। ୬ ଦିନ ଭିତରେ ପୁଞ୍ଜିଲାଲଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିବ।
ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି ୧୨,୮୩୧ ଭରି ସୁନା ଅଳଙ୍କାର
ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି ୧୨,୮୩୧ ଭରି ସୁନା ଅଳଙ୍କାର। ବିଧାନସଭାରେ ବିଜେପି ସଦସ୍ୟ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ଶ୍ରୀମନ୍ଦିରରେ ୧୯୭୮ ମସିହାରେ ରତ୍ନଭଣ୍ଡାରର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ତାଲିକା ଅନୁଯାୟୀ ରତ୍ନଭଣ୍ଡାରରେ ୧୨,୮୩୧ ଭରି ସୁନା ଅଳଙ୍କାର ରହିଛି। ସେହିପରି ୨୨ହଜାର ୧୩୫ ଭରିର ରୂପା ଥାଳି ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି। ସେହିପରି ୧୪ଟି ସାମଗ୍ରୀ ବିଭିନ୍ନ କାରଣରୁ ଓଜନ ହୋଇ ପାରିନି ନାହିଁ”।
ସ୍କୁଲ ଭ୍ୟାନ୍ ଦୁର୍ଘଟଣାରେ ୧୩ ଛାତ୍ରଛାତ୍ରୀ ମୃତ
ଉତ୍ତରପ୍ରଦେଶ କୁଶୀନଗରରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ଭ୍ୟାନକୁ ଟ୍ରେନ୍ ଧକ୍କା ଦେବାରୁ ୧୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଜଗୁଆଳି ବିହୀନ ଲେବୁଲ କ୍ରସିଂ ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ସ୍କୁଲ ଭ୍ୟାନରେ ମୋଟ ୨୨ ଜଣ ଛାତ୍ର ଥିବା ସୂଚନା ମିଳିଛି। ତେବେ ୮ ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଥିବା ଜଣାପଡ଼ିଛି।














