ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖରାରେ ଜନସାଧାରଣ ପୁରା ଅସ୍ତବ୍ୟସ୍ତ। ପାରଦ ୪୮ଡିଗ୍ରୀ ଛୁଇଁଲାଣି। ଖରାରେ ସାଧାରଣ ଲୋକ ଶୋଷ ମେଣ୍ଟାଇବା ପାଇଁ ଥଣ୍ଡା ପାନୀୟ ଖୋଜୁଛନ୍ତି। ସେଥିପାଇଁ ସ୍ମାର୍ଟ ସିଟି ଭୁବନେଶ୍ୱରରେ ବିଭିନ୍ନ ଛକରେ ଜୁସ୍ ଦୋକାନ ସବୁ ଖୋଲିଛି।

ଖରାରେ ଜନସାଧାରଣ ପୁରା ଅସ୍ତବ୍ୟସ୍ତ। ପାରଦ ୪୮ଡିଗ୍ରୀ ଛୁଇଁଲାଣି। ଖରାରେ ସାଧାରଣ ଲୋକ ଶୋଷ ମେଣ୍ଟାଇବା ପାଇଁ ଥଣ୍ଡା ପାନୀୟ ଖୋଜୁଛନ୍ତି। ସେଥିପାଇଁ ସ୍ମାର୍ଟ ସିଟି ଭୁବନେଶ୍ୱରରେ ବିଭିନ୍ନ ଛକରେ ଜୁସ୍ ଦୋକାନ ସବୁ ଖୋଲିଛି। ବିଭିନ୍ନ ଫ୍ଲେଭରର ଜୁସ୍ ସବୁ ଏଠାରେ ବିକ୍ରି ହେଉଛି। ଏହାର ସମ୍ପୂର୍ଣ୍ଣ ଲାଭ ଉଠାଉଛନ୍ତି ଜୁସ୍, ଲସି, ସୋଡା, ପଇଡ଼, ତରଭୁଜ ଏବଂ ଆଖୁ ଜୁସ୍ ବିକ୍ରି କରୁଥିବା ବ୍ୟବସାୟୀମାନେ। ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏଁ ଏହିସବୁ ଖରାଦିନିଆ ଥଣ୍ଡା ପାନୀୟ ପାଖରେ ଜମୁଛି ଭିଡ଼।

ସ୍ମାର୍ଟ ସିଟିରେ ଅସହ୍ୟ ହେଉଛି ଗ୍ରୀଷ୍ମପ୍ରବାହ। ସେଥିପାଇଁ ସିଆର୍‌ପି, ଖଣ୍ଡଗିରି, ପଟିଆ, ସହିଦନଗର, ରୁପାଲି ଓ କଳ୍ପନା ପରି ବିଭିନ୍ନ ଛକରେ ମାଳ ମାଳ ଜୁସ୍ ଦୋକାନ ଖୋଲିଛି। ଲସି, ପ୍ଲେନ୍ ଦହି ସରବତ, ନଡ଼ିଆ ରାବିଡ଼ି ସରବତ ଏବଂ ବିଭିନ୍ନ ପ୍ରକାରର ଲେମନ ଜୁସ୍, ପୁଦିନା ପାଣି, ମସଲା ଡ୍ରିଙ୍କସ୍ ଏବଂ ଆଖୁ ଜୁସ୍ ବିକ୍ରି କରାଯାଉଛି।

ଲିଙ୍ଗରାଜ ଲସି ଛୋଟ ଗ୍ଲାସ୍ ପ୍ରତି ୪୫ ରହିଥିଲା ବେଳେ ବଡ଼ ଗ୍ଲାସର ଦର ୫୫ ଟଙ୍କା ରହିଛି। ସେହିଭଳି ଜୁସ୍ ଦୋକାନମାନଙ୍କରେ ବିଭିନ୍ନ ଫ୍ଲେଭରର ଜୁସ୍, ଲେମନ୍, ଅରେଞ୍ଜ, ଆପେଲ୍, ମ୍ୟାଙ୍ଗୋ ଏବଂ ଲିଚି ଜୁସ୍ ବିକ୍ରି କରାଯାଉଛି ଏବଂ ଏସବୁକୁ ମିଶାଇ ଏକ ସାତରଙ୍ଗୀ ଜୁସ୍ ମଧ୍ୟ ପ୍ରସ୍ତୁତ କରାଯାଉଛି। ଏହିସବୁ ଜୁସର ଦାମ୍ ପାଖାପାଖି ୨୫ଟଙ୍କାରୁ ନେଇ  ୪୦ ଟଙ୍କା ଯାଏ ରହିଛି।

ରାଜଧାନୀର ବିଭିନ୍ନ ସ୍ଥାନରେ ମୋବାଇଲ୍ ଭ୍ୟାନରେ ସହଜରେ ଲୋକମାନଙ୍କ ପାଖରେ ବିଭିନ୍ନ ପ୍ରକାରର ସୋଢ଼ା ଉପଲବ୍ଦ ହେଉଛି। ଏହି ସୋଢ଼ା ଗ୍ଲାସର ଦାମ୍ ୧୦ ଟଙ୍କା ରହିଛି। ସେଭଳି ପୁଦିନା ପାଣି ଗ୍ଲାସ୍ ୫ଟଙ୍କାରେ ବିକ୍ରି ହେଉଛି। ତରଭୁଜ ବ୍ୟବସାୟ ମଧ୍ୟ ପଛରେ ପଡ଼ି ନାହିଁ। ରାଜଧାନୀର ଯେଉଁଠି ଦେଖିବେ ରାସ୍ତାକଡରେ ଗଦାଗଦା ତରଭୁଜ ବିକ୍ରି ହେଉଛି। ଉତ୍ତାପରୁ ତ୍ରାହି ପାଇବା ପାଇଁ ଲୋକମାନେ  ବିଭିନ୍ନ ତରଭୁଜ ଦୋକାନ ସମ୍ମୁଖରେ ଭିଡ ଲଗାଉଛନ୍ତି। ତରଭୁଜର ଦାମ୍ କିଲୋପ୍ରତି ୧୫ଟଙ୍କା ରହିଥିବା ବେଳେ ଖଣ୍ଡ ତରଭୁଜ ଖାଇବାକୁ ଲୋକମାନେ ବେଶି ପସନ୍ଦ କରୁଛନ୍ତି। ସ୍ମାର୍ଟ ସିଟିରେ ପଇଡ଼ ପାଣିର ଚାହିଦା ମଧ୍ୟ ବେଶ୍‌ ଅଧିକ।

ଖାଲି ରାସ୍ତା କଡ଼ରେ ଯେ ଏହି ବେପାର ଜମୁଛି ତାହା ନୁହେଁ, ବିଭିନ୍ନ ତାରକା ହୋଟେଲରେ ବିଭିନ୍ନ ନାମୀଦାମୀ ରେସ୍ତୋଁରାରେ ମଧ୍ୟ ବିଭିନ୍ନ ଫ୍ଲେଭରର ମୃଦୁ ପାନୀୟ ମିଳୁଛି। ମିଣ୍ଟ, ପାଇନଆପଲ୍, ଆମ୍ବ, ଜଲ୍‌ଜିରା, ଲେମ୍ବୁ ଓ ବିଭିନ୍ନ ପ୍ରକାରର କୋଳିକୁ ନେଇ ମୃଦୁପାନୀୟ ମଧ୍ୟ ପ୍ରସ୍ତୁତ କରାଯାଉଛି। ମୃଦୁ ପାନୀୟ ଛଡା ସ୍ମାର୍ଟ ସିଟିବାସୀ ବିଭିନ୍ନ ପ୍ରକାର ମକଟେଲ୍ ମଧ୍ୟ ବ୍ୟବହାର କରୁଛନ୍ତି।

ରିପୋର୍ଟ: ସତ୍ୟବ୍ରତ ପାଢ଼ୀ

Comment