ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ମୁଁ ସପନର ସୌଦାଗର’, ‘ମତେ ଆଣି ଦେଲ ଲକ୍ଷେ ଫଗୁଣ’, ‘ଧୀରେ ଧୀରେ ପ୍ରେମ ହେଲା’,  ‘ତୋରମୋର ଯୋଡ଼ି ସୁନ୍ଦର’, ‘ମେଘ ସବାରୀରେ ଆସିବ ଫେରି’, ‘ଶଶୂର ଘର ଜିନ୍ଦାବାଦ’, ‘ଆଖି ପଲକରେ ତୁ’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିଥିବା ସବ୍ୟସାଚୀ ଦର୍ଶକଙ୍କ ପାଖକୁ ନେଇଆସୁଛନ୍ତି ଫିଲ୍ମ ‘ଟୋକାଟା ଫସିଗଲା’।

କେତେବେଳେ ସେ ପାଗଳ ପ୍ରେମୀ ତ ପୁଣି କେତେବେଳେ ସପନର ସୌଦାଗର। କେବେ ସେ କହିଛନ୍ତି ହେଲା ମତେ ପ୍ରେମ ଜର ତ ପୁଣି ପାଗଳ କରିଚି ପାଉଁଜି ତୋର। ସେ ଥରେ ବିଗିଡ଼ିଯାଇଥିଲେ ହେଲେ ଏବେ ଫସି ଯାଇଛନ୍ତି। ହଁ, ଏଠାରେ ଏସବୁ କଥା ଯେଉଁ ଓଲିଉଡ଼ ନାୟକଙ୍କ ସମ୍ପର୍କରେ କୁହାଯାଉଛି, ସେ ହେଲେ ସୋବରବୟ ସବ୍ୟସାଚୀ।

ସବ୍ୟସାଚୀଙ୍କ ଅଭିନୀତ ପ୍ରଥମ ସିନେମା ହେଲା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପାଗଳ ପ୍ରେମୀ’। ଏହାପରେ ସେ ‘ମୁଁ ସପନର ସୌଦାଗର’, ‘ତୋ ବିନା ଭଲ ଲାଗେନା’, ‘ବନ୍ଦେ ଉତ୍କଳ ଜନନୀ’, ‘ମତେ ଆଣି ଦେଲ ଲକ୍ଷେ ଫଗୁଣ’, ‘ଧୀରେ ଧୀରେ ପ୍ରେମ ହେଲା’, ‘ପାଗଳ କରିଛି ପାଉଁଜି ତୋର’, ‘ତୁ ମୋରି ପାଇଁ’, ‘ତୋରମୋର ଯୋଡ଼ି ସୁନ୍ଦର’, ‘ମେଘ ସବାରୀରେ ଆସିବ ଫେରି’, ‘ଶଶୂର ଘର ଜିନ୍ଦାବାଦ’, ‘ଦିଲ୍ ତତେ ଦେଇଛି’, ‘ଆଖି ପଲକରେ ତୁ’, “ଛାତିରେ ଲେଖିଛି ତୋରି ନାଆଁ’, ‘ଦୋସ୍ତି’, ‘ଚାନ୍ଦିନୀ ଆଇ ମିସ୍ ୟୁ’, ‘ଏମିତି ବି ପ୍ରେମ ହୁଏ’, ‘କେବେ ତୁମେ ନାହଁ କେବେ ମୁଁ ନାହିଁ’, ‘ଓମ୍ ସାଇ ରାମ୍’,  ‘ମୁଁ ଏକା ତୁମର’, ‘ସ୍ମାଇଲ୍ ପ୍ଲିଜ୍’, ‘ପିଲାଟି ବିଗିଡ଼ିଗଲା’, ‘ହେଲା ମତେ ପ୍ରେମଜର’ ଓ ‘ସୀତାରାମଙ୍କ ବାହାଘର କଳିଯୁଗରେ’ ଆଦି ଓଡ଼ିଆ ଛବିରେ ନାୟକ ଭୂମିକାରେ ନଜର ଆସିଛନ୍ତି।

ଦର୍ଶକ ଖୁବ୍‌ଶୀଘ୍ର, ଯେଉଁ ଓଡ଼ିଆ ଛବିରେ ଦେଖିବାକୁ ପାଇବେ, ସେଥିମଧ୍ୟରୁ ଗୋଟିଏ ହେଲା ‘ଟୋକାଟା ଫସିଗଲା’ । ଏହା ଅବଶ୍ୟ ଏକ ଓଡ଼ିଆ-ବଙ୍ଗଳା ଦ୍ୱିଭାଷୀ ସିନେମା। ଏହି ଫିଲ୍ମର ଟାଇଟଲ୍ ଥିବା ଟୋକା ବି ହେଉଛନ୍ତି ସବ୍ୟସାଚୀ। ଏହା ଏକ ରୋମାଣ୍ଟିକ୍-କମେଡି। ଏହାର କାହାଣୀ ଅନୁଯାୟୀ ସବ୍ୟସାଚୀ ଓ ପପୁ ବିବାହିତ। ପପୁ ପମ୍‌ପମ୍‌ ଚାହୁଁନାହାନ୍ତି ତାଙ୍କ ଶାଳୀର ବିହାଘର ହେଉ। ଏଣୁ ସେ କଳେବଳେ କୌଶଳେ ସେହି ବାହାଘର ଭାଙ୍ଗିବାକୁ ଚାହୁଁଛନ୍ତି।

ଏଥିପାଇଁ ପପୁ ସାଙ୍ଗ ସବ୍ୟସାଚୀଙ୍କର ସହାୟତା ଲୋଡ଼ନ୍ତି। ପ୍ରଥମେ ଏହିଭଳି ଏକ କାମରେ ପଶିବାକୁ ରାଜି ହୁଅନ୍ତି ନାହିଁ। କିନ୍ତୁ ପପୁ କାକୁତିମିନତି ହେବା ପରେ ବାଧ୍ୟ ହୋଇ ପପୁଙ୍କ ଶାଳୀର ବାହାଘର ଭାଙ୍ଗିବା କାମରେ ମୁଣ୍ଡ ପୁରାନ୍ତି। କିନ୍ତୁ ସେହି କାମରେ ପଶୁ ପଶୁ ନିଜେ ସବ୍ୟସାଚୀ ଏକଦମ୍ ଫସିଯାଇଛନ୍ତି। ପପୁଙ୍କ ଶାଳୀଙ୍କ ପ୍ରେମରେ ପଡ଼ିଯାଇଛନ୍ତି ସବ୍ୟସାଚୀ। ହଁ ଏ ‘ଟୋକାଟା ଫସିଗଲା’ରେ ପପୁଙ୍କ ଶାଳୀ ଭୂମିକା ନିଭାଇଛନ୍ତି ଓଲିଉଡ୍ ଜଣାଶୁଣା ନାୟିକା ଏଲିନା ସାମନ୍ତରାୟ। ଏହି ସିନେମାରେ ଦର୍ଶକ ପ୍ରଥମଥର ପାଇଁ  ସବ୍ୟସାଚୀ ଏଲିନାଙ୍କ ଯୋଡ଼ିକୁ ଦେଖିବେ। ଆଗରୁ ଏଲିନା ବାବୁସାନ୍, ଅରିନ୍ଦମ୍ ଓ ଅନୁଭବଙ୍କ ନାୟିକା ବି ଥିଲେ, ହେଲେ ସବ୍ୟସାଚୀଙ୍କ ସାଥ୍ ପାଇନଥିଲେ।

ସବ୍ୟସାଚୀ ଏହି ଫିଲ୍ମରେ ପୁଣି ଥରେ କମେଡି କରିବାର ସୁଯୋଗ ପାଇଛନ୍ତି। ଆଗରୁ ପିଲାଟା ବିଗିଡ଼ିଗଲା, ଶଶୂର ଘର ଜିନ୍ଦାବାଦ୍, ବାୟ ବାୟ ଦୁବାଇ ଓ ହେଲା ମତେ ପ୍ରେମଜର ଭଳି ସିନେମାରେ ତାଙ୍କର ଜବରଦସ୍ତ କମେଡି ଦେଖିବାକୁ ମିଳିଥିଲା।

ସୀତାରାମ୍ ଅଗ୍ରୱାଲଙ୍କ ପ୍ରଯୋଜିତ ତଥା ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘ଟୋକାଟା ଫସିଗଲା’ରେ ସବ୍ୟସାଚୀଙ୍କ କମେଡି ପୁଣି ଦର୍ଶକଙ୍କୁ  ଆମୋଦିତ କରିପାରୁଛି କି ନା, ତାହା ଦେଖିବାକୁ ବାକି ରହିଲା।

Comment