ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

  ଓଲିଉଡର ତିନି ଟପ୍ ଷ୍ଟାର୍ ଅନୁଭବ, ଅରିନ୍ଦମ ଓ ବାବୁସାନ୍ କେବଳ ଅଭିନୟରେ ନୁହେଁ ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି।

ଓଲିଉଡର ତିନି ଜଣ ଟପ୍ ହିରୋ ହେଲେ ଅନୁଭବ ମହାନ୍ତି, ଅରିନ୍ଦମ ରାୟ ଏବଂ ବାବୁସାନ୍ ମହାନ୍ତି। ଅନୁଭବ ‘ଆଇ ଲଭ୍ ୟୁ’, ଅରିନ୍ଦମ୍ ‘ପ୍ରେମ ଋତୁ ଆସିଲାରେ’ ଏବଂ ବାବୁସାନ୍ ‘ରୋମିଓ ଦ ଲଭର ବୟ୍’ ସିନେମାରୁ ନାୟକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି। ଏହି ତିନିଜଣ କେବଳ ନାୟକ ନୁହନ୍ତି, ବରଂ ଜଣେ ଜଣେ ପ୍ରଯୋଜକ ମଧ୍ୟ। ଆସନ୍ତୁ ଜାଣିବା ଏହି ତିନି ଟପ୍ ହିରୋ କେଉଁ କେଉଁ ସିନେମାର ପ୍ରଯୋଜନା କରିଛନ୍ତି।

ଅନୁଭବ ମହାନ୍ତି

ଅନୁଭବ ୨୦୦୩ରେ ଓଲିଉଡରେ ଏଣ୍ଟ୍ରି କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ସିନେମା ‘ଆଇ ଲଭ୍ ୟୁ’ର ସୁଟିଂ ସେହି ବର୍ଷ ହୋଇଥିଲା। ଏହି ଫିଲ୍ମ ରିଲିଜ ହୋଇଥିଲା ୨୦୦୪ ଜାନୁଆରୀରେ। ତେବେ ଅନୁଭବ ୨୦୧୨ରେ ପ୍ରଯୋଜନା କ୍ଷେତ୍ରରେ  ପ୍ରବେଶ କରିଥିଲେ। ସେ ନିଜର ହୋମ୍ ପ୍ରଡକ୍ସନର ନାମ ଦେଇଥିଲେ ‘ବିଷ୍ଣୁପ୍ରିୟା ଆର୍ଟସ ଆଣ୍ଡ ଗ୍ରାଫିକ୍ସ’। ଏହି ବ୍ୟାନରରେ ଅନୁଭବ ତାଙ୍କ ସାନ ଭାଇ ଅନୁପ୍ରାସ ମହାନ୍ତିଙ୍କ ସହିତ ମିଶି ସର୍ବପ୍ରଥମେ ‘ସମଥିଙ୍ଗ୍ ସମଥିଙ୍ଗ୍‌’ ଟାଇଟଲରେ ଏକ ଓଡ଼ିଆ ଫିଲ୍ମର ପ୍ରଯୋଜନା କରିଥିଲେ। ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ। ଏହାର ସଂଳାପ ଲେଖିଥିଲେ ରଣଜିତ୍ ପଟ୍ଟନାୟକ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ୍ ଆନନ୍ଦ। ଏଥିରେ ଅନୁଭବଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ। ଏହି ଫିଲ୍ମଟି ହିଟ୍ ହୋଇଥିଲା।

ସେହି ବର୍ଷ ଅନୁଭବ ଆଉ ଏକ ଓଡ଼ିଆ ସିନେମା ନିର୍ମାଣ କରିଥିଲେ। ଯାହାର ଟାଇଟଲ୍ ହେଲା ‘ଏସ୍‌ପି ରଣବୀର’। ଏହାର ନିର୍ଦ୍ଦେଶନା ଦାୟିତ୍ୱ ପୁଣିଥରେ ସୁଧାକର ବସନ୍ତଙ୍କୁ ମିଳିଥିଲା। ବିଜୟ ମଲ୍ଲ ଏହି ସିନେମାର ସଂଳାପ ଲେଖିଥିଲେ ଓ ଶାନ୍ତିରାଜ୍ ଖୋସଲା ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହି ସିନେମାରେ ଅନୁଭବଙ୍କ ଅପୋଜିଟରେ ନବାଗତା ଆକାଂକ୍ଷାଙ୍କୁ ଲିଡ୍ ରୋଲ୍‌ରେ ଦେଖିବାକୁ ମିଳିଥିଲା । ଏହି ଆକସନ ପ୍ୟାକଡ୍ ସିନେମାର ଅନ୍ୟତମ ଆକର୍ଷଣ ଥିଲେ ଅମୀର ଖାନ୍ ଷ୍ଟାରର ମୁଭି ‘ଗଜନୀ’ର ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଥିବା ପ୍ରଦୀପ ରାୱତ। ହେଲେ ‘ଏସିପି ରଣବୀର’ ସୁପରଫ୍ଲପ୍ ହୋଇଥିଲା।

ଏହାପରେ ଅନୁଭବ ତାଙ୍କର ‘ବିଷ୍ଣୁପ୍ରିୟା ଆର୍ଟ ଆଣ୍ଡ ଗ୍ରାଫିକସ’ ବ୍ୟାନରରେ ୨୦୧୩ରେ ନିର୍ମାଣ କରିଥିଲେ ‘ହାତ ଧରି ଚାଲୁଥା’।ଏହାର ନିର୍ଦ୍ଦେଶକ ହେଲେ ହିମାଂଶୁ ପରିଜା (ଚଣ୍ଡୀ)। ଏଥିରେ ଦର୍ଶକ ପୁଣିଥରେ ଅନୁଭବ-ବର୍ଷା ପ୍ରିୟଦର୍ଶିନୀଙ୍କ ଯୋଡ଼ିକୁ ଦେଖିବାକୁ ପାଇଥିଲେ। ଏହାର ସଂଳାପ ଲେଖିଥିଲେ ବିଜୟ ମଲ୍ଲ ଓ ସଙ୍ଗୀତ ନିର୍ଦ୍ଦେଶକ ହେଲେ ପ୍ରେମ୍ ଆନନ୍ଦ। ଫିଲ୍ମଟି ହିଟ୍ ଅବଶ୍ୟ ହୋଇଥିଲା।

ଏହାପରେ ‘ବିଷ୍ଣୁପ୍ରିୟା ଆର୍ଟ ଆଣ୍ଡ ଗ୍ରାଫିକ୍ସ’ ପକ୍ଷରୁ ଅନ୍ୟ ଦୁଇଟି ଓଡ଼ିଆ ଛବି ନିର୍ମିତ ହୋଇଥିଲା। ଏହା ହେଲା ‘ସମଥିଙ୍ଗ୍ ସମ୍‌ଥିଙ୍ଗ୍‌’ ଓ ‘ମେଣ୍ଟାଲ୍‌’। ଉଭୟ ସିନେମାରେ ନଜର ଆସିଛନ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଯୋଡ଼ି। ଏଥିମଧ୍ୟରୁ ପ୍ରଥମଟିର ନିର୍ଦ୍ଦେଶନା ପ୍ରାରମ୍ଭିକ ପର୍ଯ୍ୟାୟରେ ସୁଧାକର ବସନ୍ତ ଦେଉଥିଲେ ହେଁ ଫିଲ୍ମଟି ରିଲିଜ୍ ବେଳକୁ ତାଙ୍କୁ ନିର୍ଦ୍ଦେଶକର କ୍ରେଡିଟ୍ ମିଳିନଥିଲା। ଅପରପକ୍ଷରେ ‘ମେଣ୍ଟାଲ୍‌’ର ନିର୍ଦ୍ଦେଶନା ଦେଇଥିଲେ ଦିଲ୍ଲୀପ ପଣ୍ଡା। ଉଭୟର ସଙ୍ଗୀତକାର ହେଲେ ପ୍ରେମ୍ ଆନନ୍ଦ ଓ ସଂଳାପ ଲେଖକ ହେଲେ ନିର୍ମଳ ନାୟକ। ତେବେ ଏହି ଦୁଇଟି ସିନେମାକୁ ଆଶାନୁରୂପକ ସଫଳତା ମିଳିନଥିଲା ବୋଲି କୁହାଯାଏ। ଉଭୟ ଫିଲ୍ମ ୨୦୧୪ରେ ରିଲିଜ୍ ହୋଇଥିଲା। ଏମିତି ଦେଖିବାକୁ ଗଲେ ଅନୁଭବ ପ୍ରାୟ ତିନି ବର୍ଷ ହେବ କୌଣସି ଓଡ଼ିଆ ସିନେମାର ପ୍ରଯୋଜନା କରିନାହାନ୍ତି।

ଅରିନ୍ଦମ ରାୟ

ଓଲିଉଡର ଆଉ ଜଣେ ଟପ୍ ଷ୍ଟାର୍ ହେଲେ ଅରିନ୍ଦମ୍।  ୨୦୦୬ରେ ରିଲିଜ୍ ହୋଇଥିଲା ଅରିନ୍ଦମଙ୍କ ଅଭିନୀତ ପ୍ରଥମ ସିନେମା ‘ପ୍ରେମ ଋତୁ ଆସିଲା’ରେ। ଏହାର ପ୍ରାୟ ନଅ ବର୍ଷ ପରେ ଅର୍ଥାତ୍ ୨୦୧୫ରେ ଅରିନ୍ଦମ୍ ରାୟ ପ୍ରଯୋଜକ ବନିଥିଲେ। ସେ ତାଙ୍କ ମାଆ (ରତ୍ନା ରାୟଙ୍କ) ନାମରେ ନିଜର ପ୍ରଡକ୍ସନ ସଂସ୍ଥାର ନାଆଁ ରଖିଥିଲେ। ଏହାର ନାମ ହେଲା ‘ରତ୍ନା ଫିଲ୍ମସ’। ଇତିମଧ୍ୟରେ ଅରିନ୍ଦମ୍ ଦୁଇଟି ଓଡ଼ିଆ ଛବି ନିର୍ମାଣ କରିସାରିଛନ୍ତି। ଏଥିମଧ୍ୟରୁ ପ୍ରଥମଟି ହେଲା ‘କଳ୍‌କୀ’ ଓ ଦ୍ୱିତୀୟଟି ହେଲା ‘ଶିବା ନଟ୍‌ ଆଉଟ୍‌’।

ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘କଳ୍‌କୀ’ରେ ଅରିନ୍ଦମ୍‌ଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ ରୀୟା ଦେ। ଏହା ୨୦୧୫ରେ ରିଲିଜ୍ ହୋଇଥିଲା। ବିଭୂତି ଭୂଷଣ ଏହାର ସଙ୍ଗୀତ ନିର୍ଦ୍ଦେଶକ ଓ ଭରଦ୍ୱାଜ ପଣ୍ଡା ସଂଳାପକାର।

ଅପରପକ୍ଷରେ ଅରିନ୍ଦମଙ୍କ ପ୍ରଯୋଜିତ ଦ୍ୱିତୀୟ ମୁଭି ‘ଶିବା ନଟ୍‌ ଆଉଟ୍’ ୨୦୧୭ରେ ମୁକ୍ତିଲାଭ କରିଥିଲା। ଏହି ସିନେମାରେ ଅରିନ୍ଦମଙ୍କ ସହ ନଜର ଆସିଥିଲେ ହଟ୍ ହିରୋଇନ୍ ଅର୍ଚ୍ଚିତା। ଏହାର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ। ଅରିନ୍ଦମଙ୍କ ଉଭୟ ଫିଲ୍ମକୁ ସାଧାରଣ ବ୍ୟାବସାୟିକ ସଫଳତା ମିଳିଥିଲା।

ବାବୁସାନ ମହାନ୍ତି

ଷ୍ଟାରସନ୍ ବାବୁସାନ ବି ୨୦୧୬ରେ ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଥିଲେ। ସେ ନିଜର ‘ବାବୁସାନ୍ ଫିଲ୍ମସ’ ବ୍ୟାନରରେ ନିର୍ମାଣ କରିଥିଲେ ‘ସୁନା ପିଲା, ଟିକେ ସ୍କୃ ଢ଼ିଲା’। ଏହାର ନିର୍ଦ୍ଦେଶନା ଦେଲେ ସୁଧାକର ବସନ୍ତ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଲେ ଅଭିଜିତ୍ ମଜୁମଦାର ଓ ସଂଳାପ ଲେଖିଲେ ନବାଗତ ସାରିକା। ଏହି ଫିଲ୍ମରେ ବାବୁସାନଙ୍କ ନାୟିକା ବନିଲେ ଶୀତଲ। କିନ୍ତୁ ଫିଲ୍ମଟିକୁ ପରେ ବାବୁସାନ୍ ପ୍ରକାଶ ଆଣ୍ଡ ଧୀରଜ୍ ଏଣ୍ଟରଟେନମେଣ୍ଟ ସହିତ ମିଳିତ ଭାବେ ପ୍ରଯୋଜନା କଲେ ଓ ଏହା ୨୦୧୭ରେ ରିଲିଜ୍ ହୋଇଥିଲା। ତେବେ ଏହାକୁ ସାଧାରଣ ସଫଳତା ମିଳିଥିଲା।

Comment