ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 ପଦ୍ମଭୂଷଣ ଓ ଦାଦା ସାହେବ ଫାଲ୍‌କେ ଭଳି ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ବଲିଉଡର ଦିବଙ୍ଗତ ଅଭିନେତା ପ୍ରାନ୍ କୌଣସି ନାୟକଙ୍କଠାରୁ କମ୍ ନଥିଲେ। ଏଭଳି ଏକ ସମୟ ଥିଲା, ଯେତେବେଳେ ପ୍ରାନ୍‌ଙ୍କୁ ଏକ ଖଳନାୟକ ଭୂମିକା ଲାଗି ନାୟିକାଙ୍କ ଅପେକ୍ଷା ଅଧିକ ପ୍ରାଇସ୍ ଦିଆଯାଉଥିଲା।

ପ୍ରାନ୍‌ ତ ଜଣେ ଦକ୍ଷ ଅଭିନେତା, ଏଥିରେ କାହାରି ସନ୍ଦେହ ନାହିଁ। ସେ ପାଖାପାଖି ୩୫୦ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ କେତୋଟି ଲୋକପ୍ରିୟ ଫିଲ୍ମ ହେଲା ‘ଖାନ୍‌ଦାନ୍’, ‘ପିପିଲି ସାହେବ’, ‘ହାଲାକୁ, ମଧୁମତୀ’, ‘ଜିସ୍ ଦେଶମେଁ ଗଙ୍ଗା ବହତି ହେ’, ‘ଉପକାର’, ସହିଦ୍’, ପୂରବ ଔର୍ ପଶ୍ଚିମ’, ରାମ୍ ଔର୍ ଶ୍ୟାମ୍’, ‘ଆଁସୁ ବନ ଗୟେ ଫୁଲ୍’, ଜନି ମେରା ନାମ୍’, ‘ଭିକ୍ଟୋରିଆ ନଂ ୨୦୩’, ‘ବେଇମାନ୍’, ‘ଜଞ୍ଜୀର’, ‘ଡନ୍’, ‘ଅମର ଆକବର ଆନ୍ଥୋନି’ ଓ ‘ଦୁନିୟା’।

ପ୍ରାନ୍ ଜଣେ ଭଲ ମଣିଷ ଏକଥାକୁ ନେଇ ଅନେକ କଥା ଶୁଣିବାକୁ ମିଳେ। ସେ ରୁପେଲି ପରଦାରେ ଖଳନାୟିକୀ ଦେଖାଇଛନ୍ତି, ହେଲେ ବାସ୍ତବ ଜୀବନରେ ଜଣେ ନାୟକ ଭଳି କାର୍ଯ୍ୟ କରିଥିବା ହେତୁ ଆଜିବି ଅମର ରହିଛନ୍ତି।

ପ୍ରାନ୍‌ଙ୍କ ସମ୍ପର୍କରେ କେତେକ ଅଳ୍ପ ଚର୍ଚ୍ଚିତ ମଜାଦାର କଥା ଆସନ୍ତୁ ଜାଣିବା-

ପ୍ରାନ୍ ଫଟୋଗ୍ରାଫର୍ ହେବାକୁ ଚାହୁଁଥିଲେ। ଏଥିପାଇଁ ସେ ଦିଲ୍ଲୀର ଏକ ଫଟୋଗ୍ରାଫି କମ୍ପାନିରେ ଚାକିରି ମଧ୍ୟ କରିଥିଲେ। ସେତେବେଳେ ସେ ସ୍ଵପ୍ନରେ ସୁଦ୍ଧା ଭାବିନଥିଲେ ଯେ ଦିନେ ସିନେମାରେ ଅଭିନେତା ହେବେ।

ଦିଗ୍ଗଜ ଅଭିନେତା ପ୍ରାନ୍ ୧୯୬୭ ମସିହାରେ ‘ଉପକାର୍’ ୧୯୬୯ରେ ‘ଆଁସୁ ବନ୍‌ଗୟେ ଫୁଲ୍’ ଓ ୧୯୭୨ରେ ‘ବେଇମାନ୍’ ଲାଗି ଶ୍ରେଷ୍ଠ ସହ ଅଭିନେତା ଭାବେ ଫିଲ୍ମ ଫେଆର୍ ଆୱାର୍ଡ ଲାଭ କରିଥିଲେ। କିନ୍ତୁ ‘ବେଇମାନ୍’ ପାଇଁ ସେ ଏହି ପୁରସ୍କାରକୁ ଫେରାଇ ଦେଇଥିଲେ। ସେ ଦର୍ଶାଇଥିଲେ ଯେ କମଲ୍ ଅମରୋହୀଙ୍କ ଫିଲ୍ମ ‘ପାକିଜା’କୁ କୌଣସି ପୁରସ୍କାର ଦିଆଯାଇନଥିଲା।

ଅଭିନେତା ଓ ନିର୍ଦ୍ଦେଶକ ମନୋଜ କୁମାର ହିଁ ‘ଉପକାର’ ସିନେମାରେ ପ୍ରଥମଥର ପାଇଁ ପ୍ରାନଙ୍କୁ ଭିନ୍ନ ଚରିତ୍ରରେ ସୁଯୋଗ ଦେଇଥିଲେ। ଏହାପରେ ପ୍ରାନ୍ ଚରିତ୍ର ଅଭିନୟରେ ମନୋନିବେଶ କରିଥିଲେ।

ପ୍ରାନ୍ ସାହେବ ପ୍ରଯୋଜକ-ନିର୍ଦ୍ଦେଶକଙ୍କ ଅସୁବିଧା ସମୟରେ ସହାୟତାର ହାତ ବଢ଼ାଇଥାଆନ୍ତି ବୋଲି ବଲିଉଡରେ ଚର୍ଚ୍ଚା ହୁଏ। ପ୍ରଖ୍ୟାତ ନିର୍ମାତା ନିର୍ଦ୍ଦେଶକ ତଥା ଅଭିନେତା ରାଜ୍ କପୁର ଯେତେବେଳେ ‘ବବି’ ଫିଲ୍ମର ନିର୍ମାଣ କରିଲେ ସେତେବେଳେ ସେ ଖୁବ୍ ଆର୍ଥିକ ଦୁଃସ୍ଥିତି ଭିତରେ ଗତି କରୁଥିଲେ। କାରଣ ତାଙ୍କର ପୂର୍ବ ସିନେମା ‘ମେରା ନାମ୍ ଜୋକର୍’ ଫ୍ଲପ୍ ହେବା ହେତୁ ରାଜ୍‌ କପୁର୍ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ଏଣୁ ତାଙ୍କ ପାଖରେ କଳାକାରଙ୍କୁ ସେମାନଙ୍କର ପ୍ରକୃତ ପାରିଶ୍ରମିକ ଦେବା ଲାଗି ଅର୍ଥ ନଥିଲା। ଏଣୁ ପ୍ରାନ୍ ‘ବବି’ରେ କାମ କରିବା ଲାଗି ମାତ୍ର ୧ ଟଙ୍କା ଫିସ୍ ବାବଦରେ ଦେଇଥିଲେ।

ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଆଙ୍ଗ୍ରି ୟଙ୍ଗମ୍ୟାନ୍ ବନାଇବାରେ ବି ପ୍ରାନ୍‌ଙ୍କର ଯଥେଷ୍ଟ ଅବଦାନ ଥିବା କୁହାଯାଏ। ପ୍ରାନ୍ ହିଁ ନିର୍ଦ୍ଦେଶକ ପ୍ରକାଶ ମେହେରାଙ୍କୁ ‘ଜଞ୍ଜିର’ ସିନେମାରେ ଲିଡ୍ ରୋଲରେ ନେବା ଲାଗି ପରାମର୍ଶ ଦେଇଥିଲେ। ଏହି ସିନେମାରେ ନିଜେ ପ୍ରାନ୍ ଶେର୍ ଖାନ୍ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଆଉ ଏକ ମଜାଦାର୍ କଥା ହେଲା ଯେ ପିଲାଦିନେ ପ୍ରାନ୍ ରାମଲୀଲାରେ ସୀତା ଭୂମିକାରେ ଅଭିନୟ କରୁଥିଲେ। ସେ ଭାରତ ସ୍ଵାଧୀନ ହେବାର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ହିଁ ନିଜ ପରିବାର ସହିତ ଲାହୋର୍  (ପାକିସ୍ତାନ)ଛାଡ଼ି ମୁମ୍ବାଇକୁ ଆସିଥିଲେ।

Comment