ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବାର ଦୁଇଦିନ ପରେ ଘଟଣାସ୍ଥଳକୁ ପରିଦର୍ଶନରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଗୋଟିଏ ବର୍ଷରେ ଦୁଇଥର ଭୁବନେଶ୍ୱରର ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣା ଘଟି ଦୁଇଜଣଙ୍କ ପ୍ରାଣ ନେଇଛି। ଏହାକୁ ନେଇ ଆରମ୍ଭ ହୋଇଛି ତର୍ଜମା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ଵେ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି।
ଶନିବାରଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଠିକା ସଂସ୍ଥା ଉପରେ ପ୍ରଶ୍ନ ଉଠାଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଦୁଇଦୁଇ ଥର ଏଭଳି ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କଳା ତାଲିକାଭୁକ୍ତ ଠିକାସଂସ୍ଥା କାହିଁକି ନିର୍ମାଣ କାର୍ଯ୍ୟ ଦିଆଯାଇଥିଲା। ଯୋଗ୍ୟତା ନଥିବା ଠିକାଦାରଙ୍କୁ ଦାୟିତ୍ବ ଦିଆଯାଉଛି। ବିଶ୍ୱସ୍ତରୀୟ ସଂସ୍ଥା ମାଧ୍ୟମରେ ଓଭରବ୍ରିଜ ନିର୍ମାଣ ଯାଞ୍ଚ କରିଯାଉ। ଏହାସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ”।
ଗୁରୁବାର ରାତିରେ ବମିଖାଲ ଓଭରବ୍ରିଜ ଦୁର୍ଘଟଣା ଘଟିଥିଲା। ଘଟଣାରେ ଠିକା ସଂସ୍ଥାର ମାଲିକ ପ୍ରତାପ ପଣ୍ଡା ଗିରଫ ହୋସାରିଛନ୍ତି। ବର୍ଷେ ମଧ୍ୟରେ ଓଭରବ୍ରଜିରେ ଦୁଇଥର ଦୁର୍ଘଟଣା ଘଟି ଦୁଇଜଣଙ୍କ ପ୍ରାଣ ଯାଇଛି।
ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, “ଗତ ୧୦ ଦିନ ହେଲା ପେଟ୍ରୋଲ, ଡିଜେଲର ଦର ସ୍ଥିର ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଲ ଦର ବୃଦ୍ଧି ଯୋଗୁଁ ଭାରତରେ ତେଲ ଦର ବୃଦ୍ଧି ହେଉଛି। ଭେନେଜୁଏଲାରେ ତେଲ ଉତ୍ପାଦନ କମିବା, ଇରାନ ଉପରେ ଆମେରିକାର କଟକଣା ଅନ୍ତର୍ଜାତୀୟ ତେଲ ବଜାରକୁ ପ୍ରଭାବିତ କରୁଛି। ତେଲ ଜିଏସଟି ଅନ୍ତର୍ଭୁକ୍ତ ହେବା ଉଚିତ”।















