ଓଡ଼ିଶାଲାଇଭ୍‌ ବ୍ୟୁରୋ

୬ ଦଶନ୍ଧି ଧରି ଓଡ଼ିଆ ସଙ୍ଗୀତ ଜଗତ ସହ ଜଡ଼ିତ ଥିବା ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି।  

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣଶୁଣା ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କର ରବିବାର ସକାଳେ ଦେହାନ୍ତ ହୋଇଛି। କଟକର ଶିବାଜୀ ନଗର ବାସଭବନରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥା କାରଣରୁ ତାଙ୍କର ଦେହାନ୍ତ ଘଟିଛି।

ଓଡ଼ିଆ ସଙ୍ଗୀତ ଜଗତ ପ୍ରତି ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କର ବହୁତ ଅବଦାନ ରହିଥିଲା। ସେ ଓଡ଼ିଆ ପ୍ରଥମ ରଙ୍ଗିନ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ ରେ ଗୀତ ଲେଖି ଚର୍ଚ୍ଚାରେ ରହିଥିଲେ। ଚିରସବୁଜ ଗୀତ ‘ଏ ବନର ଛାଇ’… ଏବଂ ‘ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ’…, ‘ଫୁଲେଇ ରାଣୀ ସଜ ଫୁଲ ଗୁଲୁ ଗୁଲିଆ’… ଲେଖି ସେ ଅଧିକ ଚର୍ଚ୍ଚିତ ହୋଇଥିଲେ।

୧୯୩୪ ମେ’ ୬ରେ ବାରିପଦାର ନୂଆଗାଁରେ ଜନ୍ମ ହୋଇଥିଲେ। ଗତ ୬ ଦଶନ୍ଧି ଧରି ସେ ଓଡ଼ିଆ ସଙ୍ଗୀତ ସହ ଜଡ଼ିତ ହୋଇ ରହିଥିଲେ। ୧୯୫୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ମା’ରେ ଗୀତ ଲେଖି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରି ନାହାନ୍ତି।

‘ଅରୁନ୍ଧତୀ’, ‘ସୂର୍ଯ୍ୟମୁଖି’, ‘କିଏ କାହାର’, ‘ଗପ ହେଲେ ବି ସତ’, ‘ଜୀବନ ସାଥୀ’, ‘ଅଗ୍ନି ପରୀକ୍ଷା’, ‘ସମୟ’, ‘ପ୍ରିୟତମା’, ‘ରଣଭୂମି’, ‘ପଥର ଖସୁଛି ବଡ଼ ଦେଉଳୁ’ ଫିଲ୍ମ ପାଇଁ ସେ ଗୀତ ଲେଖି ଦର୍ଶକଙ୍କ ମହଲରେ ପ୍ରଶଂସିତ ହୋଇଥିଲେ।

ଓଡ଼ିଆ ସଙ୍ଗୀତ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁକୃଷ୍ଣ ଗୋସ୍ୱାମୀ ୧୯୯୬ରେ ଶ୍ରେଷ୍ଠ ଗୀତିକାର ପୁରସ୍କାର, ୨୦୦୦ରେ ଭକ୍ତ କବି ସାଲବେଗ ପୁରସ୍କାର ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି। ଏହାସହ ଆକାଶବାଣୀର ସେ ଥିଲେ ଜଣେ ସ୍ୱୀକୃତି ପ୍ରାପ୍ତ ଗୀତିକାର।

ଏହି ବିଶିଷ୍ଟ ଗୀତିକାରଙ୍କ ଦେହାନ୍ତ ଖବର ପାଇ ଓଡ଼ିଆ ଫିଲ୍ମ ଏବଂ ସଙ୍ଗୀତ ଜଗରେ ଶୋକର ଛାୟା ଖେଳି ଯାଇଛି।

Comment