ଓଡ଼ିଶାଲାଇଭ୍ ବ୍ୟୁରୋ
ଧଳ ସାମନ୍ତ ବ୍ରଦର୍ସଙ୍କ ସହ ଲିଙ୍କ୍ ରଖିବା ଅଭିଯୋଗରେ ଇଡି ଅଧିକାରୀ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସଢ଼େ ୩ ଘଣ୍ଟା ଧରି ଜେରା କରିଛନ୍ତି।
ଗ୍ୟାଙ୍ଗଷ୍ଟର ଧଳ ସାମନ୍ତ ବ୍ରଦର୍ସଙ୍କ ସହ ବ୍ୟବସାୟିକ ସମ୍ପର୍କ ରଖିବା ଅଭିଯୋଗରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଆଜି ଇଡି ଅଫିସରେ ହାଜର ହୋଇଥିଲେ। ଇଡି ଅଧିକାରୀ ବିଧାୟକଙ୍କୁ ସାଢ଼େ ୩ ଘଣ୍ଟା ଧରି ଜେରା କରିଛନ୍ତି। ସାଢ଼େ ୩ ଘଣ୍ଟା ପରେ ପ୍ରଣବ ଇଡି ଅଫିସରୁ ବାହାରିଛନ୍ତି।
ବଳବନ୍ତ ରାୟ ଟ୍ରାନ୍ସପୋର୍ଟ ଓ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନି ହେଉଛି ପ୍ରଣବଙ୍କର। ହେଲେ ଏହି କମ୍ପାନି ସହ ଧଳ ସାମନ୍ତ ବ୍ରଦର୍ସଙ୍କର କି ସମ୍ପର୍କ ରହିଥିଲା ସେନେଇ ଖୋଳତାଡ଼ କରିଛି ଇଡି।
ପ୍ରଣବ ବଳବନ୍ତରାୟ କହିଛନ୍ତି, “ଧଳ ସାମନ୍ତ ବ୍ରଦର୍ସଙ୍କ ସହ ମୋର କିଛି ସମ୍ପର୍କ ନାହିଁ। କାଗଜପତ୍ର ଧରି ହାଜର ହେବାକୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା। ମୁଁ ଟ୍ରାନ୍ସପୋର୍ଟ ଏଜେନ୍ସୀର କାଗଜପତ୍ର ଧରି ଆସିଥିଲି। କାଗଜପତ୍ର ଯାଞ୍ଚ କରିଥିଲେ ଇଡି ଅଧିକାରୀ।”
ଏପଟେ ଧର୍ମଶାଳାରେ ବିକ୍ଷୋଭ କରିଛି କଂଗ୍ରେସ। ପ୍ରଣବ ତାଙ୍କ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ନେତା ଶ୍ରୀନାଥ ମିଶ୍ର ଦାବି କରିଛନ୍ତି।
ଘଙ୍ଗାପାଟଣା ଜମି ଦୁର୍ନୀତି, ଏଟି ଚିଟଫଣ୍ଡ ମାମଲାରେ ପ୍ରଣବ ବିବାଦୀୟ ହୋଇପଡ଼ିଥିଲେ। ଏବେ ଧଳ ସାମନ୍ତ ବ୍ରଦର୍ସଙ୍କ ସହ ପ୍ରଣବଙ୍କ ଲିଙ୍କ୍ ରହିଥିବା ଅଭିଯୋଗ ଆସିବା ପରେ ଅଡ଼ୁଆରେ ପଡ଼ିଛନ୍ତି ପ୍ରଣବ।
ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କର ଏକ ଟ୍ରାନ୍ସପୋର୍ଟ ଏଜେନ୍ସୀ ରହିଛି। ଏହି ଟ୍ରାନ୍ସପୋର୍ଟ ଏଜେନ୍ସୀ ସହ ଧଳ ସାମନ୍ତ ବ୍ରଦର୍ସଙ୍କର ବ୍ୟବସାୟିକ ଲିଙ୍କ ରହିଥିବା ଇଡି ଖବର ପାଇଥିଲା। ଏହି ଲିଙ୍କର ତନାଘନା କରିବା ପାଇଁ ଇଡିରେ ହାଜର ହେବାକୁ ଗତ ଦୁଇ ଦିନ ତଳେ ପ୍ରଣବଙ୍କୁ ସମନ ହୋଇଥିଲା। ଆଜି ପ୍ରଣବ ଇଡିରେ ହାଜର ହୋଇଥିଲେ।