ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭାର ଷଷ୍ଠ ଦିନରେ ବିଜେପି ବିଧାୟକମାନେ ମଣ୍ଡିରୁ ଧାନ ଉଠା ପ୍ରତିବାଦରେ ନବୀନ ନିବାସ ଅଭିମୁଖେ ଯାତ୍ରା କରି ସେଠାରେ ଧାରଣାରେ ବସିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଧାରଣାସ୍ଥଳକୁ ଆସି ସେମାନଙ୍କ ସହ ଆଲୋଚନା କରିଥିଲେ। ଅପରପକ୍ଷରେ ବିଜେଡିର କିଛି ବରିଷ୍ଠ ବିଧାୟକଙ୍କ ସମେତ, ଦଳର ମହିଳା କର୍ମୀ ନବୀନ ନିବାସ ସମ୍ମୁଖରେ ଶଙ୍ଖ ଓ ଫୁଲ ଧରି ବିଜେପି ବିଧାୟକଙ୍କୁ ସ୍ୱାଗତ କରିବା ପାଇଁ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।

ଆଜି ଗୃହରେ ଉଭୟ ବିଜେପି ଓ ବିଜେଡି ବିଧାୟକ ମୁହାମୁହିଁ ହୋଇଥିଲେ। ଗୃହରେ ବିଜେପି ପ୍ରଶ୍ନ କହିଥିଲା, ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଯାଉଛନ୍ତି, କିନ୍ତୁ ବିଧାନସଭା କାହିଁକି ଆସୁନାହାଁନ୍ତି। ଏଥିସହ ଧାନ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ଉତ୍ତର ରଖନ୍ତୁ ବୋଲି ଦାବି କରିଥିଲା ବିଜେପି। ଏହାପରେ ଗୃହ ତ୍ୟାଗ କରି ବିଜେପି ନବୀନ ନିବାସ ଆଡ଼କୁ ମୁହାଁଇଥିଲା।

ବିଜେପି ବିଧାୟକମାନେ ନବୀନ ନିବାସରେ ପହଞ୍ଚି ସେଠାରେ ଧାରଣା ଦେଇଥିଲେ। କିଛି ସମୟ ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଧାରଣାସ୍ଥଳକୁ ଆସି, ବିଧାୟକମାନଙ୍କ ସହ ଆଲୋଚନା କରିବାକୁ ଭିତରକୁ ଡାକିଥିଲେ। ବିଜେପି ବିଧାୟକମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

‘ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡକାଯିବ। ମଣ୍ଡିରୁ ସବୁ ଧାନ ଉଠିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ’ କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

ଅନ୍ୟପକ୍ଷରେ ମାର୍ଚ୍ଚ ୨୦ରେ ବିଧାନସଭା ଘେରିବ ବିଜେପି। ମାହାଙ୍ଗା ଡବଲ ମଡର୍ର ଘଟଣା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରତିବାଦରେ ବିଧାନସଭା ଘେରାଉ କରାଯିବା ନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

Comment