ଓଡ଼ିଶାଲାଇଭ୍ ବ୍ୟୁରୋ

ସର୍ଗିଫୁଲ ମହୋତ୍ସବ ଉଦଯାପିତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଅନୁସୂଚିତ ଜାତି ଓ ଜନଜାତି ପିଲା ମାନଙ୍କ ପାଇଁ ଡିସେମ୍ବର ୨୦୨୩ ସୁଦ୍ଧା ସେମାନଙ୍କ ପାଇଁ ଆହୁରି ୧୦୦ଟି ହଷ୍ଟେଲ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ବିଦ୍ୟାଳୟ ସମୂହର ଏହି ଅନନ୍ୟ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପ୍ରେରଣା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ଓଡ଼ିଶା ପିଲା କାହା ଠାରୁ କମ୍‌ ନୁହନ୍ତି। ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢ଼ ଓ ଜୀବନରେ ପ୍ରତିଷ୍ଠା ଲାଭ କର। ତୁମେମାନେ ସଫଳତା ପାଇଁ ଉଦ୍ୟମ କର, ମୋ ଆଶୀର୍ବାଦ ତୁମ ସାଥିରେ ଅଛି।”

ବିଶିଷ୍ଟ କ୍ରୀଡ଼ାବିତ୍ ଦିଲ୍ଲୀପ ତିର୍କୀଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ସେ ଜଣେ ଓଡ଼ିଆ ପୁଅ। ନିଜ ଦକ୍ଷତା ଓ ପରିଶ୍ରମ ଯୋଗୁଁ ସେ ଭାରତୀୟ ହକି ଟିମ୍‌ର କ୍ୟାପଟେନ୍ ହେବା ସହିତ ଆଜି ହକି ଇଣ୍ଡିଆର ସଭାପତି ମଧ୍ୟ ହୋଇପାରିଛନ୍ତି। ଯୁବ ସମାଜ ପାଇଁ ସେ ଜଣେ ରୋଲ ମଡେଲ।”

ଚଳିତ ବର୍ଷର ସର୍ଗିଫୁଲ ଉତ୍ସବରେ ୧୨୦୦ ଛାତ୍ରଛାତ୍ରୀ ଓ ୧୭୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ୨୦୨୧ ଓ ୨୦୨୨ର ହାଇସ୍କୁଲ ପରୀକ୍ଷାରେ କୃତିତ୍ଵ ହାସଲ କରିଥିବା ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ରାଜ୍ୟର ବିଭିନ୍ନ ସରକାରୀ ହଷ୍ଟେଲରେ ଏବେ ୫ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ପିଲା ପାଠ ପଢୁଛନ୍ତି। ଡିସେମ୍ବର ୨୦୨୩ ସୁଦ୍ଧା ସେମାନଙ୍କ ପାଇଁ ଆହୁରି ୧୦୦ଟି ହଷ୍ଟେଲ ନିର୍ମାଣ କରାଯିବ।”

ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ତାଙ୍କ ଅଭିଭାଷଣରେ ଜନଜାତି ପିଲା ମାନଙ୍କ ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସର୍ଗିଫୁଲ ନାମକ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ। ଏହାସହିତ ସାମଗ୍ରିକ ଶିକ୍ଷା ଉପରେ ଏକ ଡିଜିଟାଲ ପୋଷ୍ଟର ବହି ଲୋକାର୍ପଣ କରିଥିଲେ। ସାମଗ୍ରିକ ଶିକ୍ଷା ସଂପର୍କିତ ଏକ ଭିଡିଓ ଫିଲ୍ମ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟର ମୁଖ୍ୟ ଉପଦେଷ୍ଟା  ଆର୍‌. ବାଲକ୍ରିଷ୍ଣନ, ଉନ୍ନୟନ କମିଶନର  ପି.କେ. ଜେନା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ। ଅନୁସୂଚିତ ଜାତି ଓ ଜନଜାତି ବିଭାଗର କମିଶନର ତଥା ସଚିବ ରୂପାରୋଶନ ସାହୁ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ଏଟିଏଲସିର ସଦସ୍ୟ ସଚିବ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #SargifulaMahotsav #StateLevelScienceExhibition #Bhubaneswar #CMO #NaveenPatnaik #Odisha

Comment