ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଖୁବଶିଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଚଳିତବର୍ଷ ଡିସେମ୍ବରରେ ଆନନ୍ଦ ପିରାମଲଙ୍କ ସହ ବିବାହ କରିବାକୁ ଯାଉଛନ୍ତି ଇଶା ଅମ୍ବାନୀ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ପିରାମାଲ୍‌ ଗ୍ରୁପ୍‌ ଅଧ୍ୟକ୍ଷ ଅଜୟ ପିରାମାଲ୍‌ଙ୍କ ପୁଅ ଆନନ୍ଦ ପିରାମାଲ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ବିବାହ ଆସନ୍ତା ଡିସେମ୍ବରରେ ଅନୁଷ୍ଠିତ ହେବ।

ଇଶା ଓ ଆନନ୍ଦଙ୍କ ବିବାହ ଘୋଷଣା ପରେ ଦେଶର ଦୁଇ ପ୍ରମୁଖ ଧନୀ ବ୍ୟବସାୟୀ ଭାବେ ପରିଚିତ ରିଲାଏନ୍ସ ଗ୍ରୁପ୍‌ ଓ ପିରାମାଲ ଗ୍ରୁପ୍‌ ସମ୍ପର୍କ ମଜୁବୁତ ହେବ। ପିରାମାଲ ଗ୍ରୁପ୍‌ ହେଲ୍‌ଥକେୟାରରୁ ଆରମ୍ଭ କରି ଆର୍ଥିକ ସେବାରେ ଦେଶରେ ଲୋକପ୍ରିୟତା ହାସଲ କରିଛି। ସେହିପାରି ରିଲାୟନ୍ସ ଗ୍ରୁପ୍‌ ମଧ୍ୟ ଦେଶର ଟେଲିକମ୍‌ କ୍ଷେତ୍ରରେ ଏକ ଅଗ୍ରଣୀ ସେବା ଯୋଗାଇ ଆସୁଛି।

ରବିବାରଦିନ ମହାବଳେଶ୍ୱରଠାରେ ୩୩ ବର୍ଷୀୟ ଆନନ୍ଦ ଏବଂ ୨୬ ବର୍ଷୀୟ ଇଶାଙ୍କ ମଧ୍ୟରେ ନିର୍ବନ୍ଧ ହୋଇଯାଇଛି। ଏହି ଅବସରରେ ଉଭୟଙ୍କ ମାତା ପିତା ମୁକେଶ ଏବଂ ନୀତା ଅମ୍ବାନୀ ଓ ଅଜୟ ଏବଂ ସ୍ଵାତୀ ପିରାମାଲ ପ୍ରମୁଖ ଉପସ୍ଥିତ ଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ।

ଆନନ୍ଦ ପିରାମଲ୍‌ କିଏ?

ପିରାମାଲ ଗ୍ରୁପ୍‌ର ଜଣେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଉଛନ୍ତି ଆନନ୍ଦ। ପିରାମାଲ୍‌ ଗ୍ରୁପ୍‌ର ରିୟଲ୍‌ ଇଷ୍ଟେଟ୍‌ ବ୍ୟବସାୟ ପିରାମାଲ୍‌ ରିୟଲିଟିର ସେ ପ୍ରତିଷ୍ଠାତା। ଗ୍ରୁପ୍‌ର ରଣକୌଶଳ ତଥା ବିକାଶରେ ସେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଏହାପୂର୍ବରୁ ଆନନ୍ଦ ଗ୍ରାମୀଣ ସ୍ୱାସ୍ଥ୍ୟ କ୍ଷେତ୍ରର ଶୁଭାରମ୍ଭ କରି ‘ପିରାମଲ ଇସ୍ଵାସ୍ଥ୍ୟ’ର ସ୍ଥାପନା କରିଥିଲେ। ଯେଉଁଠି ଆଜି ଗୋଟିଏ ଦିନରେ ୪୦ ହଜାରୁ ଊର୍ଦ୍ଧ ରୋଗୀଙ୍କ ଚିକିତ୍ସା କରାଯାଇଛି।

ୟୁନିଭର୍ସିଟି ଅଫ୍‌ ପେନ୍‌ସିଲ୍‌ଭାନିଆରୁ ସେ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଥିବାବେଳେ ହାର୍ଭାର୍ଡ ବିଜ୍‌ନେସ୍‌ ସ୍କୁଲ୍‌ରୁ ଏମ୍‌ବିଏ କରିଛନ୍ତି। ନିଜର କ୍ୟାରିୟର୍‌ ଗଢ଼ିବା ସମୟରେ ସେ ମୁକେଶ ଅମ୍ବାନୀଙ୍କୁ ନିଜର ମେଣ୍ଟର ଭାବେ ଗ୍ରହଣ କରି ଆଗକୁ ବଢ଼ିଥିଲେ।

ଇଶା ଏବେ କ’ଣ କରୁଛନ୍ତି?

ଇଶା ରିଲାଏନ୍ସ ଜିଓ ଏବଂ ରିଲାଏନ୍ସ ରିଟେଲ୍‌ର ଜଣେ ବୋର୍ଡ ସଦସ୍ୟ। ୨୦୧୩ରେ ସେ ୟାଲେ ୟୁନିଭର୍ସିଟିରୁ ମନୋବିଜ୍ଞାନ ଏବଂ ସାଉଥ୍‌ ଏସିଆନ୍‌ ଷ୍ଟଡିଜ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ସେ ଷ୍ଟାନ୍‌ଫୋର୍ଡ ଗ୍ରାଜୁଏଟ୍‌ ସ୍କୁଲ୍‌ ଅଫ୍‌ ବିଜ୍‌ନେସ୍‌ରେ ଏମ୍‌ବିଏ ଜାରି ରଖିଛନ୍ତି। ଚଳିତବର୍ଷ ଜୁନ୍‌ରେ ସେ ଏମ୍‌ବିଏ ସମାପ୍ତ କରିବେ।

କିଛି ଦିନ ତଳେ ଇଶାଙ୍କ ଯାଆଁଳା ଭାଇ ଆକାଶଙ୍କ ନିର୍ବନ୍ଧ ଦେଶର ପ୍ରମୁଖ ହୀରା କମ୍ପାନୀ ରୋଜି ବ୍ଲୁର ସ୍ଵତ୍ତ୍ୱାଧିକାରୀ ରସେଲ୍‌ ମେହେଟ୍ଟାଙ୍କ ଝିଅ ଶ୍ଲୋକା ମେହେଟ୍ଟାଙ୍କ ସହ ହୋଇଥିଲା। ଉଭୟ ଭାଇ ଭଉଣୀଙ୍କ ବିବାହ ଡିସେମ୍ବରରେ ହେବ।

Comment