ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମହାନଦୀ ସୁରକ୍ଷା ଯାତ୍ରା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
  • ଝାରସୁଗୁଡ଼ାର ସୁଖାସୋଡ଼ା ଏବଂ ବରଗଡ଼ର ଚିଖିଲିରୁ ଆରମ୍ଭ ହେବ ଯାତ୍ରା
  • ଦେଢ଼ ହଜାର କିମି ଯିବ ଯାତ୍ରା
  • ବିଭିନ୍ନ ଦେବାଦେବୀ ପୀଠରେ ଦୀପ ଦାନ
  • ସମଲେଶ୍ୱରୀ ଓ କଟକର ଗଡ଼େଶ୍ୱରଙ୍କ ନିକଟରେ ଜଳଆଳତୀ

ମେ’୧୬ ତାରିଖରୁ ଆରମ୍ଭ ହେଉଛି ବିଜେଡିର ମହାନଦୀ ମହାସଂଗ୍ରାମ। ଝାରସୁଗୁଡ଼ା ଜିଲ୍ଲାର ସୁଖାଶୋଡ଼ା ଏବଂ ବରଗଡ଼ ଜିଲ୍ଲା ଚିଖିଲିଠାରୁ ଏହି ଯାତ୍ରା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଚେତନତା ଯାତ୍ରାକୁ ଶୁଭାରମ୍ଭ କରିବେ ବୋଲି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଝାରସୁଗୁଡ଼ା ଜିଲା ସୁଖାଶୋଡ଼ାରେ ସକାଳ ୯ଟାରେ ମହାନଦୀ ସଚେତନତା ଯାତ୍ରାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ସେହିପରି ସକାଳ ୧୦ଟାରେ ବରଗଡ଼ ଜିଲ୍ଲାର ଚିଖିଲିରେ ମଧ୍ୟ ଏହି ଯାତ୍ରାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଦୁଇଟି ଜାଗାରୁ ସୁରକ୍ଷା ଯାତ୍ରା ବାହାରି ମହାନଦୀ ଅବବାହିକାର ୧୫ଟି ଜିଲ୍ଲା ପରିକ୍ରମା କରିବ।

୧୫ଟି ଜିଲ୍ଲାରେ ମହାନଦୀ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ। ମହାନଦୀ ପ୍ରତି ଛତିଶଗଡ଼ ଏବଂ କେନ୍ଦ୍ରର ବିଜେପି ସରକାର ଅବିଚାର କରୁଥିବା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ଓଡ଼ିଶାର ଜୀବନରେଖାକୁ ଶୁଖାଇବା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ଲୋକଙ୍କୁ କୁହାଯିବ। ପ୍ରାୟ ଦେଢ଼ ହଜାର କିଲୋମିଟର ପର୍ଯ୍ୟନ୍ତସ ଏହି ଯାତ୍ରା ଯିବ।

୧୫ଟି ଜିଲ୍ଲାରେ ପଥପ୍ରାନ୍ତ ସଭା କରାଯିବ। ଏହାସହ ବିଭିନ୍ନ ଦେବାଦେବୀ ପୀଠରେ ଦୀପ ଦାନ କରାଯିବ। ସମଲେଶ୍ୱରୀ ଏବଂ କଟକର ଗଡ଼ଖାଇଙ୍କ ପାଖରେ ଜଳଆଳତୀ କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

୨୨ ତାରିଖରେ ବିଜେଡି ପାର୍ଟି ଅଫିସରେ ମହାନଦୀ ମହାସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମହାନଦୀ ଆନ୍ଦୋଳନକୁ ଆଗକୁ ନେବା ପାଇଁ ଏହି ସମ୍ମିଳନୀରେ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଥିଲା। ଏଥିରେ ୧୫ଟି ମହାନଦୀ ଜିଲ୍ଲାର ଜନପ୍ରତିନିଧି ଯୋଗ ଦେଇଥିଲେ। ଏହି ଅବସରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପି ସରକାର ଉପରେ ବର୍ଷିଥିଲେ।

ମହାନଦୀ ପ୍ରତି କରାଯାଉଥିବା ଷଡ଼ଯନ୍ତ୍ର ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ନବୀନ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ମହାନଦୀ ଆନ୍ଦୋଳନକୁ ଗାଁକୁ ନେବା ପାଇଁ ବିଜେଡି ସଭାପତି ଆହ୍ୱାନ ଦେଇଥିଲେ।

ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଅତନୁସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା ଏବଂ ଦଳର ସମ୍ପାଦକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comment