ଓଡ଼ିଶାଲାଇଭ୍ ବ୍ୟୁରୋ
୩୦ବର୍ଷ ପୁରୁଣା ରାସ୍ତା ଗଣ୍ଡଗୋଳ ଓ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କେସରେ ନବଜୋତ ସିଂ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି।
କ୍ରିକେଟ ତାରକା ତଥା କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ମଙ୍ଗଳବାରଦିନ ସୁପ୍ରିମ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ୧୯୮୮ ମସିହା ପଟିଆଲା ରାସ୍ତା ଗଣ୍ଡଗୋଳଓ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପଞ୍ଜାବ-ହରିୟାଣା କୋର୍ଟର ଆଦେଶକୁ ଖାରଜ କରିବା ସହିତ ସିଦ୍ଧୁଙ୍କୁ ଖଲାସ କରି ଦେଇଛନ୍ତି।
ଜଷ୍ଟିସ ଜେ ଚେଲେମଶ୍ୱର ଓ ସଞ୍ଜୟ କିଶନ କୌଲଙ୍କୁ ନେଇ ସୁପ୍ରିମକୋର୍ଟର ଏକ ବେଞ୍ଚ ସିଦ୍ଧୁଙ୍କୁ କୌଣସି ଜେଲ ଦଣ୍ଡ ଦେଇ ନ ଥିବାବେଳେ ଏହି ଗଣ୍ଡଗୋଳରେ ମୃତ ବ୍ୟକ୍ତିଙ୍କୁ ସାମାନ୍ୟ ଆଘାତ ଦେଇଥିବାରୁ ତାଙ୍କୁ ୧ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।
ସିଦ୍ଧୁ ୧୯୮୮ ମସିହା ଡିସେମ୍ବର ୨୭ ତାରିଖ ଦିନ ରାସ୍ତାରେ ଯାଉଥିବା ବେଳେ ତାଙ୍କର ଗୁରନାମ ସିଂହ ନାମକ ଜଣେ ୬୫ ବର୍ଷିୟ ବୃଦ୍ଧ ବ୍ୟକ୍ତିଙ୍କ ସହିତ ଗଣ୍ଡଗୋଳ ହୋଇଥିଲା। ଗାଡ଼ି ପାର୍କିଂକୁ ନେଇ ଝଗଡ଼ା ହୋଇଥିବା ଜଣାପଡ଼ିଥିଲା। ଏହାପରେ ବୃଦ୍ଧ ଜଣଙ୍କ ହଠାତ ଅସୁସ୍ଥ ହୋଇପଡ଼ିବାରୁ ଗୁରନାମ ସିଂହଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏହି ମାମଲାରେ ନିମ୍ନ କୋର୍ଟ ସିଦ୍ଧୁଙ୍କୁ ଦୋଷୀ ବୋଲି ଘୋଷଣା କରି ଥିଲେ। ପରେ ପଞ୍ଜାବ-ହରିୟାଣା ହାଇକୋର୍ଟ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ମାମଲାରେ ସିଦ୍ଧୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏହି ମାମଲାରେ ଖଲାସ କରି ଦେଇଛନ୍ତି।
ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ସିଦ୍ଧୁ କହିଛନ୍ତି, “ମୁଁ ପଞ୍ଜାବର ଲୋକମାନଙ୍କୁ ଧନ୍ୟବାଦ ଜଣାଉଛି। ସେମାନଙ୍କୁ ଆଶିର୍ବାଦରୁ ମୁଁ ଆଜି ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛି”।
















ବହୁତ ଭଲ ଲାଗିଲା ତାଜା ଖବର ପାଇ ।
ଧନ୍ୟବାଦ ।
ଶୁଭ ଅଭିନନ୍ଦନ ।