ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି କମିଶନରେଟ୍ ପୋଲିସ। ପୋଲିସ କମିଶନର ୱାଇ ବି ଖୁରାନିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଉନ୍ମୟଙ୍କୁ ହତ୍ୟା କରାଯାଇ ନାହିଁ। ସେ ନିଜ ଦେହରେ ନିଜେ ଛୁରି ଭୁଷିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ମେଡିକାଲ ରିପୋର୍ଟରେ ମଧ୍ୟ ଉନ୍ମୟ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ପୋଲିସ କମିଶନର ଆହୁରି କହିଛନ୍ତି ଯେ ଘଟଣାସ୍ଥଳକୁ ଏକ ଚିଠି ଜବତ କରାଯାଇଥିଲା। ଆମେ ଏହି ଚିଠିକୁ ଭଲଭାବେ ତର୍ଜମା କରିଥିଲୁ ଏଥିରୁ ଜଣାପଡ଼ିଥିଲା ଯେ ଉନ୍ମୟ ଯେଉଁ ଅଫିସରେ ଚାକିରି କରୁଥିଲେ ସେହି ଅଫିସର ଜଣେ ଯୁବତୀଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ରହିଥିଲା। ସେହି ଝିଅ ସହ ଉନ୍ମୟଙ୍କର ସମ୍ପର୍କ ରହିଥିଲା। ଅନ୍ତର୍ଗରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଉନ୍ମୟ ଗିରଫ ହୋଇ ଜେଲ ଯାଇଥିଲେ।

ଜାମିନରେ ଆସିବା ପରେ ଉନ୍ମୟଙ୍କର ଚାକିରି ନଥିଲା ଏବଂ ତାଙ୍କ ସମ୍ମାନରେ ଆଞ୍ଚ ଆସିଥିଲା। ଫଳରେ ସେ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ। ହେଲେ ସଂପୃକ୍ତ ଯୁବତୀ ଏବଂ ତାଙ୍କ ବୟଫ୍ରେଣ୍ଡ ଉନ୍ମୟଙ୍କୁ ବ୍ଲାକମେଲ୍ କରୁଥିଲେ। ବ୍ଲାକମେଲିଂ କରି ଉନ୍ମୟଙ୍କ ଆକାଉଣ୍ଟରୁ ଟଙ୍କା ନେଉଥିଲେ। ଏଥିରେ ସେ ନିରାଶ ହୋଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ପଛରେ ସେ ସଂପୃକ୍ତ ଯୁବତୀ ଏବଂ ବୟଫ୍ରେଣ୍ଡଙ୍କୁ ଚିଠିରେ ଦାୟୀ କରିଛନ୍ତି।

ମାର୍ଚ୍ଚ ୨୦ ତାରିଖର ଘଟଣା। ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟା କୁଆଖାଇ ନଦୀପଠାରେ ଘଟିଥିଲା ଏକ ବିଭତ୍ସ ହତ୍ୟାକାଣ୍ଡ। ଜଣେ ଯୁବକକୁ କେହି ହତ୍ୟା କରି ନଦୀ ପଠାରେ ପକାଇ ଚାଲିଯାଇଥିବା ପୋଲିସ ପାଖରେ ହୋଇଥିଲା ଅଭିଯୋଗ। ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଦରପୋଡ଼ା ମୃତଦେହ ଏବଂ ପାଖରେ ପଡ଼ିଥିବା ଛୁରି, ଲାପଟପ୍‌ ଆଦି ଜବତ କରିଥିଲା। ପରେ ଏହାର ଖୋଳତାଡ଼ ଆରମ୍ଭ କରିଥିଲା।

ପରେ ହତ୍ୟାକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ପୋଲିସ ଆହୁରି ତତ୍ପର ହୋଇ ଉଠିଥିଲା।

ମୃତ ଉନ୍ମୟଙ୍କ ନାଁରେ ରହିଥିଲା ଭିଡିଓ ଭାଇରାଲ କରିବାର ଅଭିଯୋଗ। ସେ ଏଭଳି କାମ କରି ଗତବର୍ଷ ହୋଇଥିଲେ ଗିରଫ। ପରେ ସେ ଜାମିନରେ ଆସିଥିଲେ। ଚାନ୍ଦବାଲିର ଜଣେ ଯୁବତୀଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଉନ୍ମୟ ଚର୍ଚ୍ଚାରେ ରହିଥିଲେ। ଏହି ଘଟଣା ପାଇଁ ଉନ୍ମୟଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଥିଲା।

LEAVE A REPLY

Please enter your comment!
Please enter your name here