ଓଡ଼ିଶାଲାଇଭ୍‌ ବ୍ୟୁରୋ

ପପୁ ପମ୍‌ ପମ୍‌ ଦିଲ୍ଲୀ ଏମ୍ସର ଗ୍ୟାଷ୍ଟ୍ରୋଲୋଜି ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ପପୁଙ୍କୁ ନେଇ ଗୁଜବ ପ୍ରଚାର ନକରିବାକୁ ତାଙ୍କ ସ୍ତ୍ରୀ ନିବଦେନ କରିଛନ୍ତି।

ଓଲିଉଡର ଜଣାଶୁଣା କମେଡିଆନ ତତ୍ତ୍ୱପ୍ରକାଶ ଶତପଥୀ ଓରଫ୍ ପପୁ ପମ୍‌ ପମ୍‌ଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ସେ ଦିଲ୍ଲୀ ଏମ୍ସର ଗ୍ୟାଷ୍ଟ୍ରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପପୁଙ୍କ ସ୍ତ୍ରୀ ସଙ୍ଗୀତା ଶତପଥୀ।

ପପୁ ପାନକ୍ରିୟାସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚକିତ୍ସିତ ହେଉଥିଲେ। କିନ୍ତୁ ସ୍ୱାସ୍ଥ୍ୟ ଅଧିକ ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏୟାର ଆମ୍ବୁଲାନ୍ସରେ ପପୁଙ୍କୁ ଦିଲ୍ଲୀ ପଠାଯାଇଥିଲା। ପପୁଙ୍କ ସାଙ୍ଗରେ ତାଙ୍କ ସ୍ତ୍ରୀ ସଙ୍ଗୀତା ଦିଲ୍ଲୀ ଯାଇଛନ୍ତି।

ପପୁ ଅସୁସ୍ଥ ହେବା ଖବର ଜଣାପଡ଼ିବା ପରେ ଓଡ଼ିଉଡ କଳାକାରମାନେ ଦୁଃଖ ପ୍ରକାଶ କରିଛନ୍ତି। ପପୁଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ପପୁ ଫୋର୍ ଇଡିୟଟ୍‌ସ ଫିଲ୍ମ ସୁଟିଂରେ ଥାଇଲାଣ୍ଡ ଯାଇଥିଲେ। ସୁଟିଂ ଚାଲିଥିବା ବେଳେ ପପୁ ଅସୁସ୍ଥ ହୋଇଯାଇଥିଲେ। ସୁଟିଂ ବାତିଲ କରି ପପୁ ଭୁବନେଶ୍ୱର ଫେରି ଆସି ଡାକ୍ତରଙ୍କୁ ପରାମର୍ଶ କରିଥିଲେ। ପାନକ୍ରିୟାସ ଜନିତ ରୋଗରେ ପପୁ ଆକ୍ରାନ୍ତ ଥିବା ଡାକ୍ତର କହିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ପପୁଙ୍କୁ ନେଇ ଗୁଜବ ପ୍ରଚାର ନହେଉ

ପପୁଙ୍କୁ ନେଇ ବୁଧବାର ଦିନ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରାଯାଇଥିଲା। ପପୁଙ୍କ ସ୍ୱାସ୍ଥ୍ୟ ଅବନତି ହେଉଥିବା କେତେକ ଲୋକ ପ୍ରଚାର କରିଥିଲେ। ହେଲେ ଗୁରୁବାର ଦିନ ଏହାକୁ ଖଣ୍ଡନ କରିଛନ୍ତି ପପୁଙ୍କ ସ୍ତ୍ରୀ। ପପୁଙ୍କ ବିଷୟରେ ଗୁଜବ ପ୍ରଚାର ନକରିବାକୁ ସେ ଅନୁରୋଧ କରିଛନ୍ତି।

ପିଲ୍ମ ନିର୍ମାତା ନୀଳମାଧବ ପଣ୍ଡା ଏବଂ ଅକ୍ଷୟ ପରିଜା ମଧ୍ୟ ପପୁଙ୍କୁ ନେଇ ଗୁଜବ ପ୍ରଚାର ନକରିବାକୁ ଅନୁରୋଧ କରିଛନ୍ତି। ପପୁ ପମ୍‌ ପମ୍‌ଙ୍କ ସ୍ବାସ୍ଥ୍ୟକୁ ନେଇ ଯେଉଁ ଗୁଜବ ପ୍ରଚାର କରାଯାଉଛି ସେଥିରୁ କ୍ଷାନ୍ତ ରହିବାକୁ ଅକ୍ଷୟ ପରିଜା ପ୍ରଡକ୍ସନ ପକ୍ଷରୁ କୁହାଯାଇଛି।

ଅକ୍ଷୟ ପରିଜା ପ୍ରଡକ୍ସନ ଏବଂ ପ୍ରକାଶ ଫିଲ୍ମ ବ୍ୟାନରରେ ‘ଫୋର୍ ଇଡିୟଟସ୍‌’ ଫିଲ୍ମର ସୁଟିଂ ଚାଲିଥିଲା। ଏହି ଫିଲ୍ମରେ ପପୁ ଅଭିନୟ କରୁଥିଲେ। ଥାଇଲାଣ୍ଡରେ ସୁଟିଂ ଚାଲିଥିବା ବେଳେ ପପୁ ଅସୁସ୍ଥ ହୋଇଯାଇଥିଲେ।

Comment