ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଲୋକପ୍ରିୟ ଖଳନାୟିକା ଥିଲେ ବିନ୍ଦୁ। ସେ ‘ଦୋ ରାସ୍ତେ’ ସିନେମାରୁ ଖଳନାୟିକା ଭାବେ କ୍ୟାରିଅର ଆରମ୍ଭ କରିଥିଲେ।

ଆସନ୍ତୁ ଜାଣିବା ବିନ୍ଦୁ କାହିଁକି ଖଳନାୟିକା ହେବାକୁ ରାଜି ହୋଇଥିଲେ।

ବଲିଉଡର ଜଣାଶୁଣା ଅଭିନେତ୍ରୀ ବିନ୍ଦୁ ମୁଖ୍ୟତଃ ଖଳନାୟିକା ଚରିତ୍ରରେ ପରଦାରେ ନଜର ଆସିଛନ୍ତି। ସେ ଷାଠିଏ, ସତୁରି ଓ ଅଶି ଦଶକରେ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଥିଲେ।

ସୁପରହିଟ୍ ଫିଲ୍ମ ‘କଟିପତଙ୍ଗ୍’ରେ ବିନ୍ଦୁ ବନିଥିଲେ ଶବୁ ଓ ‘ଜଞ୍ଜିର’ରରେ ତାଙ୍କୁ ମେନ୍ ଭିଲେନ୍ ଅଜିତ୍ ଡାକୁଥିଲେ ମୋନା ଡାର୍ଲିଂ। ଏହି ଦୁଇଟି ରୋଲ୍ ହେଉଛି ବଲିଉଡର ଜଣାଶୁଣା ଅଭିନେତ୍ରୀ ବିନ୍ଦୁଙ୍କ କ୍ୟାରିଅର୍‌ର ସବୁଠାରୁ ସ୍ମରଣୀୟ ଚରିତ୍ର।

ବିନ୍ଦୁଙ୍କ ମାଆ ଜ୍ୟୋତ୍ସ୍ନା ଜଣେ ମଞ୍ଚ କଳାକାର ଥିଲେ। ବାପା ନାନୁଭାଇ ଦେଶାଇ ଥିଲେ ଜଣେ ନାମୀ ପ୍ରଯୋଜକ। ବାପା ଚାହୁଁଥିଲେ ଯେ ଝିଅ ବଡ଼ ହୋଇ ଡାକ୍ତରାଣୀ ହେଉ। ବିନ୍ଦୁଙ୍କର ସାତ ଭଉଣୀ ଓ ଗୋଟିଏ ଭାଇ ଥିଲେ।

ବିନ୍ଦୁ ସ୍କୁଲରେ ପଢ଼ୁଥିବାବେଳେ କେତେକ ନାଟକରେ ଅଭିନୟ କରିଥିଲେ। ଏହା ଦେଖି ସାଙ୍ଗମାନେ ବିନ୍ଦୁଙ୍କୁ ଫିଲ୍ମରେ ଅଭିନୟ କରିବା ପାଇଁ ଉସକାଉଥିଲେ।

ବିନ୍ଦୁଙ୍କ ବାପା ସବୁବେଳେ କହୁଥିଲେ, “ତୁ ମୋ’ ଝିଅ ନୁହେଁ ମୋ ପୁଅ। ମୁଁ ମରିବା ପରେ ମୋ’ ପରିବାରର ଦାୟିତ୍ଵ ନେବୁ ତୁ”। ବିନ୍ଦୁଙ୍କୁ ଯେତେବେଳେ ମାତ୍ର ଏଗାର ବର୍ଷ ବୟସ ହୋଇଥିଲା, ଠିକ୍ ସେହି ସମୟରେ ବାପା ନାନୁଭାଇଙ୍କର ଦେହାନ୍ତ ହୋଇଥିଲା। ଏହାପରେ ବିନ୍ଦୁ ମଡେଲିଂରେ ପାଦ ଥାପିଥିଲେ।

ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ମୋହନ କୁମାର ବିନ୍ଦୁଙ୍କୁ ପ୍ରଥମେ ‘ଅନପଢ଼୍’ ଫିଲ୍ମରେ ବ୍ରେକ୍ ଦେଇଥିଲେ। ଏହି ଫିଲ୍ମରେ ବିନ୍ଦୁ ପ୍ରଖ୍ୟାତ ଅଭିନେତ୍ରୀ ମାଲା ସିହ୍ନାଙ୍କ କନ୍ୟା ଭୂମିକାରେ ଅଭିନୟ କରିଥିଲେ।

ପ୍ରଥମ ସିନେମାରେ କାମ କରିବା ବେଳେ ବି ସ୍କୁଲରେ ପଢ଼ୁଥିଲେ ବିନ୍ଦୁ। ସେହି ସମୟରେ ବିନ୍ଦୁଙ୍କ ପ୍ରେମରେ ପଡ଼ିଥିଲେ ବ୍ୟବସାୟୀ ଚମ୍ପକଲାଲ୍ ଜାଭେରୀ। ସେହି ସମୟରେ ଚମ୍ପକଲାଲଙ୍କର ଆଉଟ୍ ଡୋର୍ ବିଜ୍ଞାପନ ବ୍ୟବସାୟ ଥିଲା।

ଚମ୍ପକଲାଲ ଓ ବିନ୍ଦୁ ପରସ୍ପରର ପଡ଼ୋଶୀ ଥିଲେ। ବିନ୍ଦୁ ପରେ ଚମ୍ପକଲାଲଙ୍କୁ ବିବାହ କରିଥିଲେ। ପାରିବାରିକ ବିରୋଧ ପରେ ବି ଦୁହେଁ ସୁଖୀ ବୈବାହିକ ଜୀବନ ବିତାଇଛନ୍ତି।

ବିବାହ ପରେ ବିନ୍ଦୁ ଚାହୁଁଥିଲେ ହିରୋଇନ୍ ହେବେ। ହେଲେ ତାଙ୍କୁ ମିଳିଗଲା ଖଳନାୟିକାର ଭୂମିକା। ସେତେବେଳେ ବିନ୍ଦୁଙ୍କୁ ମାତ୍ର ୧୭ ବର୍ଷ।

ବିନ୍ଦୁ ତାଙ୍କର ଭିଣୋଇ ସଙ୍ଗୀତକାର ଲକ୍ଷ୍ମୀକାନ୍ତ (ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ଫେମ୍)ଙ୍କ ଘରେ ଥାଆନ୍ତି। ସେହିଠାରେ ନିର୍ଦ୍ଦେଶକ ରାଜ୍ ଖୋସଲା ବିନ୍ଦୁଙ୍କ ‘ଦୋ ରାସ୍ତେ’ ଫିଲ୍ମରେ ନିଲାମ୍ବରୀ ଭୂମିକାର ଅଫର୍ ଦେଇଥିଲେ। ଏହା ଏକ ନେଗେଟିଭ୍ ରୋଲ୍ ଥିଲା।

ଏହି ଫିଲ୍ମରେ ନେଗେଟିଭ୍ ରୋଲ୍ ନ କରିବାକୁ ଠିକ୍ କରିଥିଲେ। ହେଲେ ତାଙ୍କ ସ୍ଵାମୀ କହିଥିଲେ, ନେଗେଟିଭ୍ ରୋଲ୍ କରିବାରେ କ୍ଷତି କ’ଣ? ଏହି ପଦକ କଥା ବିନ୍ଦୁଙ୍କୁ ପ୍ରଭାବିତ କରିଥିଲା। ସେ ଖଳନାୟିକା ବନିଥିଲେ ପରଦାରେ।

Comment