ଓଡ଼ିଶାଲାଇଭ୍ ଏଣ୍ଟରଟେନ୍ମେଣ୍ଟ୍ ବ୍ୟୁରୋ
ଓଲିଉଡ ସୁନ୍ଦରୀମାନଙ୍କୁ ଅଧିକାଂଶ ସିନେମାରେ ରୋମାଣ୍ଟିକ୍ ରୋଲ୍ରେ ଦେଖିବାକୁ ମିଳେ। ବେଳେବେଳେ ସେମାନଙ୍କୁ ଆକ୍ସନ୍ ଭୂମିକାରେ ବି ଦେଖିବାକୁ ପାଆନ୍ତି ଦର୍ଶକ।

ମହାଶ୍ୱେତା
ମହାଶ୍ୱେତା ‘ଲାଲପାନ ବିବି’, ‘ଯା’ ଦେବୀ ସର୍ବଭୁତେସୁ’ ଓ ‘ଗୋପରେ ବଢ଼ୁଛି କଳା କହ୍ନେଇ’ ଭଳି ବେଶ୍ କେତୋଟି ଫିଲ୍ମରେ ଦମ୍ଦାର ଚରିତ୍ରରେ ନଜର ଆସିଛନ୍ତି। ଏସବୁ ସିନେମାରେ ତାଙ୍କର ଚରିତ୍ର ଥିଲା ମୁଖ୍ୟତଃ ପ୍ରତିଶୋଧ ପରାୟଣା ନାରୀ।

ଅପରାଜିତା
ଠିକ୍ ସେହିପରି ଅପରାଜିତା ବି ‘ମା’ ପରି କିଏ ହେବ’ ଭଳି ଓଡ଼ିଆ ସିନେମାରେ ପ୍ରତିଶୋଧ ନେଉଥିବା ଜଣେ ବୟସ୍କା ନାରୀ ଭୂମିକାରେ ବେଶ୍ ଚମତ୍କାର ଅଭିନୟ କରିଥିଲେ।

ବର୍ଷା ପ୍ରିୟଦର୍ଶିନୀ
ଓଲିଉଡ ସୁନ୍ଦରୀ ବର୍ଷା ପ୍ରିୟଦର୍ଶିନୀ ବି ଏ କ୍ଷେତ୍ରରେ ପଛରେ ପଡ଼ିନାହାନ୍ତି। ସେ ’ଅଗ୍ନିଶିଖା’ ଟାଇଲଟରେ ନିର୍ମିତ ଏକ ଫିଲ୍ମରେ ନିଜ ଉପରେ ହେଉଥିବା ଦୁଷ୍କର୍ମର ପ୍ରତିଶୋଧ ନେଇଥିଲେ।
’ଅଗ୍ନିଶିଖା’ ଫିଲ୍କରେ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ଶିଖା। ଶିଖା ଏକ ଗଣଦୁଷ୍କର୍ମର ଶିକାର ହୁଅନ୍ତି। ତା’ପରେ ସେ ଗୋଟି ଗୋଟି କରି ଦୁଷ୍କର୍ମକାରୀଙ୍କୁ ନିପାତ କରିବାର ଶପଥ ନିଅନ୍ତି।
ନାରୀ ଅବଳା, ଦୁର୍ବଳା। ଏ କଥାକୁ ଭୁଲ୍ ପ୍ରମାଣିତ କରିବା ପାଇଁ ଶିଖା ଦୃଢ଼ ସଂକଳ୍ପ ନିଅନ୍ତି। ଏଥିରେ ତାଙ୍କୁ ଜଣେ ଅବସରପ୍ରାପ୍ତ ଆର୍ମି ଅଫିସର ଓ ନାୟକ ସହାୟତା କରନ୍ତି। ଶେଷରେ ଶିଖା ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚନ୍ତି। ସେ ଦୁଷ୍କର୍ମକାରୀଙ୍କୁ ଉଚିତ ଶାସ୍ତି ଦିଅନ୍ତି।
’ଅଗ୍ନିଶିଖା’ର ପ୍ରଯୋଜନା କରିଥିଲେ ବିଜୟ କାନ୍ଦୋଇ ଓ ଏହାର ନିର୍ଦ୍ଦେଶନା ଦାୟିତ୍ଵ ବହନ କରିଥିଲେ ହିମାଂଶୁ ପରିଜା (ଚଣ୍ଡି)। ଏଥିରେ ବର୍ଷା ପ୍ରିୟଦର୍ଶିନୀଙ୍କ ବିପକ୍ଷରେ ନାୟକ ସାଜିଥିଲେ ସୁନୀଲ କୁମାର।

ଅର୍ଚ୍ଚିତା
ଓଲିଉଡ ସୁନ୍ଦରୀ ଅର୍ଚ୍ଚିତା ‘ଓ ମାଇଁ ଲଭ୍’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କ ଅଭିନୀତ ତଥା ମୁକ୍ତିପ୍ରାପ୍ତ ଶେଷ ଓଡ଼ିଆ ସିନେମା ହେଲା ‘ଜଷ୍ଟ ମହବତ୍’, ଏହା ଗତବର୍ଷ ରିଲିଜ୍ ହୋଇଥିଲା।
ଓଲିଉଡର ଚୁଲୁବୁଲି ନାୟିକା ଅର୍ଚ୍ଚିତାଙ୍କୁ ଦର୍ଶକ କେତେବେଳେ ରୋମାଣ୍ଟିକ୍ ତ ପୁଣି କେବେ କମିକ୍ ରୋଲ୍ରେ ଦେଖିବାକୁ ପାଇଛନ୍ତି। ଖାଲି ସେତିକି ନୁହେଁ ସେ କେତୋଟି ସିନେମାରେ ପ୍ରତିଶୋଧ ପରାୟଣା ନାରୀ ଭୂମିକା ବି ନିଭାଇଛନ୍ତି।
ଅର୍ଚ୍ଚିତାଙ୍କର ଏହି ଫିଲ୍ମ ମଧ୍ୟରୁ ଗୋଟିଏ ହେଲା ‘ଦେ ମା’ ଶକ୍ତି ଦେ’। ଏହାର ନିର୍ଦ୍ଦେଶନା ଦେଇଥିଲେ ଓଲିଉଡର ଓଣ୍ଡର ବୟ ସଞ୍ଜୟ ନାୟକ।
‘ଦେ ମା’ ଶକ୍ତି ଦେ’ ସିନେମାରେ ଅର୍ଚ୍ଚିତା ନିଜ ଭଉଣୀ ହତ୍ୟାର ପ୍ରତିଶୋଧ ନେଇଛନ୍ତି। ଏହି ଫିଲ୍ମରେ ଅର୍ଚ୍ଚିତାଙ୍କ ଭଉଣୀ ଭୂମିକାରେ ନଜର ଆସିଥିଲେ ଉଷସୀ ମିଶ୍ର। ଏଥିରେ ସିଦ୍ଧାନ୍ତ ଥିଲେ ଉଷସୀଙ୍କ ବିପକ୍ଷରେ ଆଉ ଅର୍ଚ୍ଚିତାଙ୍କ ବିପକ୍ଷରେ ଅଭିନୟ କରୁଥିଲେ ଚନ୍ଦନ।
କାହାଣୀ ଅନୁଯାୟୀ ସିଦ୍ଧାନ୍ତଙ୍କ ଭିତରେ ଏକ ଖଳ ଆତ୍ମା ପଶିଯିବା ଫଳରେ ସେ ଦୁଷ୍ଟ ଚରିତ୍ରର ହୋଇଯାଆନ୍ତି। ସେହି ଦୁଷ୍ଟ ଆତ୍ମାକୁ ଶାସ୍ତି ଦେବା ଲାଗି ଦେବୀ ମା’ଙ୍କର ଶରଣାପନ୍ନ ହୁଅନ୍ତି ଓ ଶେଷରେ ଏଥିରେ ସଫଳ ହୁଅନ୍ତି ଅର୍ଚ୍ଚିତା।














