ଓଡ଼ିଶାଲାଇଭ୍ ବ୍ୟୁରୋ

- ଭୁବନେଶ୍ୱରରେ କୁଳପତି ସମ୍ମିଳନୀ
- କୁଳାଧିପତିଙ୍କ ଅଧ୍ୟକ୍ଷତାରେ ବୈଠକ
- ଯୋଗ ଦେଇଛନ୍ତି ୧୭ଟି ବିଶ୍ୱବିଦ୍ୟାଳୟର କୁଳପତି
- ଆଇଆଇଆଇଟି ଓ ଭିମସାର ନିର୍ଦ୍ଦେଶକଙ୍କ ସହ ୪ ମନ୍ତ୍ରୀ ଉପସ୍ଥିତ
ଭୁବନେଶ୍ୱରରେ ବସିଛି କୁଳପତି ସମ୍ମିଳନୀ। ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ସତ୍ୟପାଲ ମଲିକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାରଦିନ ରାଜଭବନରେ କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ କୁଳପତି।
ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ପଦବୀ ପୂରଣ, କ୍ୟାମ୍ପସ ଶୃଙ୍ଖଳା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟର ଅଗ୍ରଗତି, ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଓ ୪୦ ଏକର ଜମି ଗାଏବ ଘଟଣା, ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସର ଅଗ୍ରଗତି ନେଇ ସମ୍ମିଳନୀରେ ଆଲୋଚନା ହୋଇଛି।
ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ଵରେ ଥିବା ସତ୍ୟପାଲ ମଲିକ ଓଡ଼ିଶା ଉଚ୍ଚଶିକ୍ଷା କ୍ଷେତ୍ରରେ ଆହୁରି ଆଗକୁ ବଢ଼ିପାରିବ ବୋଲି କହିଛନ୍ତି।

“ଏବେ ବି ଦେଶର ୧୦୦ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇନାହାଁ। ବିହାର ତୁଳନାରେ ଓଡ଼ିଶା ଉଚ୍ଚଶିକ୍ଷା କ୍ଷେତ୍ରରେ କିଛିଟା ଆଗରେ ରହିଛି। ତେଣୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ବହୁ ସଂସ୍କାର ଅଣାଯାଇ ପାରିବ। ସବୁ ବିଶ୍ୱବିଦ୍ୟାଳୟ ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯାଇ ପାରିବ”, କହିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲିକ।
ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ଵ ନେବା ପରେ ସତ୍ୟପାଲ ମଲିକଙ୍କ ଏହା ପ୍ରଥମ ଭିସି ସମ୍ମିଳନୀ। ଏଣିକି ବର୍ଷରେ ଥରେ କୁଳପତି ସମ୍ମିଳନୀ ଆୟୋଜନ ହେବା ଉଚିତ ବୋଲି କହିଥିଲେ ରାଜ୍ୟପାଳ। ଏହି ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଅର୍ଥ, ଉଚ୍ଚଶିକ୍ଷା, ସଂସ୍କୃତି ଓ କୃଷି ବିଭାଗର ମନ୍ତ୍ରୀ ଓ ସଚିବମାନେ ସାମିଲ ହୋଇଛନ୍ତି।
ବିଶ୍ୱବିଦ୍ୟାଳୟର ଛାତ୍ରସଂସଦ ନିର୍ବାଚନ ସପକ୍ଷରେ ମତ ଦେଇଛନ୍ତି ରାଜ୍ୟପାଳ। ଛାତ୍ର ସଂସଦ ନିର୍ବାଚନ ଦ୍ଵାରା ଏକ ଦୃଢ଼ ନେତୃତ୍ୱ ଆଗକୁ ଆସିବ ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସମସ୍ତ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ, ଗବେଷଣାକୁ ପ୍ରାଧାନ୍ୟ, କ୍ୟାମ୍ପସରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ, ପ୍ଲେସମେଣ୍ଟ ସେଲ୍ର କାର୍ଯ୍ୟକାରିତା, ଅଭିଯୋଗର ଶୁଣାଣି ଓ ସମାଧାନ ପଦ୍ଧତିର କ୍ରିୟାଶୀଳତା, ବିଭିନ୍ନ ଅନୁଦାନର ସୁବିନିଯୋଗ ବିଷୟରେ ଏହି ସମ୍ମିଳନୀରେ ଆଲୋଚନା ହୋଇଥିଲା।
















