ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଲୋକସେବା ଭବନରେ ଶୁକ୍ରବାର ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ, ଅଗ୍ନିଶମ ସେବା ଏବଂ କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ତଥା ସାହସିକତା ପାଇଁ ପଦକ ଦିଆଯାଇଛି। ରାଜ୍ୟପାଳ ଗଣେଶୀ ଲାଲ ଏଠାରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ବିଜେତାମାନଙ୍କୁ ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ସାହସିକତା ପଦକ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ୨୦୨୦ ସାଧରତନ୍ତ୍ର ଦିବସ ଉପଲକ୍ଷେ ବିଶିଷ୍ଠ ସେବା ପାଇଁ ୨ ଜଣ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୫ ଜଣ ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଇଛି। ସେହିପରି କର୍ମ କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ୧୫ ଜଣଙ୍କୁ ରାଜ୍ୟପାଳ ପୋଲିସ ପଦକ ଦିଆଯାଇଥିଲା।

ସେହିପରି ଏଠାରେ ରାଜ୍ୟର ୨ ଜଣ ଅଗ୍ନିଶମ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯାଇଛି। ଏହାସହ ଅନ୍ୟ ୪ ଜଣଙ୍କୁ ପ୍ରଶଂସନୀୟ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ୨୦୨୦ ସାଧରତନ୍ତ୍ର ଦିବସ ଉପଲକ୍ଷେ ଗୃହରକ୍ଷୀ ସେବା ନିମନ୍ତେ ଜଣଙ୍କୁ ରାଷ୍ଟ୍ରପତି ବିଶିଷ୍ଟ ପଦକ ଏବଂ ଜଣଙ୍କୁ ରାଷ୍ଟ୍ରପତି ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଥିଲା। ସେହିପରି ବେସାମରିକ କ୍ଷେତ୍ରରେ ପ୍ରଶଂସନୀୟ ସେବା ନିମନ୍ତେ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଥିଲା।

ଅନ୍ୟପଟେ କାର୍ଯ୍ୟକ୍ରମରେ ୨୦୨୦ ସ୍ଵାଧୀନତା ଦିବସ ଉପଲକ୍ଷେ ଅଗ୍ନିଶମ ସେବା କ୍ଷେତ୍ରରେ ସାହସିକତା ପାଇଁ ଜଣଙ୍କୁ ରାଷ୍ଟ୍ରପତି ସାହସିକତା ପଦକ ପ୍ରଦାନ କରାଯାଇଥିବା ବେଳେ ୨ ଜଣଙ୍କୁ ରାଷ୍ଟ୍ରପତି ବିଶିଷ୍ଟ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯାଇଛି। ସେହିଭଳି ପୂର୍ବ ଘୋଷଣା ଅନୁସାରେ ଅନ୍ୟ ଅଧିକାରୀମାନଙ୍କୁ ମଧ୍ୟ ପଦକ ଦିଆଯାଇ ସମ୍ମାନିତ କରାଯାଇଥିଲା।

ଶୁକ୍ରବାର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ପୋଲିସ ଡିଜି ସୁନୀଲ କୁମାର ବଂଶଲ, ଡିଜି ଅଗ୍ନିଶମ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ, ଡିଜି କାରାଗାର ଓ ସଂସ୍କାର ସେବା ମନୋଜ କୁମାର ଛାବ୍ରା ପ୍ରମୁଖ ଯୋଗ ଦେଇଥିଲେ।

Tags: #StateLevelMedalCeremony #Governor #HomeDept #Bhubaneswar #Odisha

 

Comment