ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୬ରେ କଟକ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ବାଲିଯାତ୍ରା ପଡ଼ିଆରେ ଦେବେ ଉଦବୋଧନ। ଏଥିପାଇଁ ବିଜେପି ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି।

ମୋଦିଙ୍କୁ ଗସ୍ତକୁ ନେଇ ବିଜେପି ମହଲରେ ଉତ୍ସାହ ଭରି ରହିଥିବା ବେଳେ କଂଗ୍ରେସ କିନ୍ତୁ ବିରୋଧ କରୁଛି। ମୋଦିଙ୍କ କଟକ ଗସ୍ତକୁ ବିରୋଧ କରି କଂଗ୍ରେସ ସେହିଦିନ ବାଦାମବାଡି ଏବଂ ବକ୍ସିବଜାରରେ ଷ୍ଟଲ ଖୋଲି ପକୁଡି ବିକ୍ରି କରିବ ବୋଲି କହିଛି। ଏହି ପକୁଡ଼ି ଷ୍ଟଲକୁ ଉଦଘାଟନ କରିବା ପାଇଁ ମୋଦିଙ୍କୁ ନିବେଦନ କରାଯିବ ବୋଲି କଟକ ନଗର କଂଗ୍ରେସ କମିଟି ସଭାପତି ଇଂ ମହମ୍ମଦ ମୋକିମ କହିଛନ୍ତି।

ଇଂ ମହମ୍ମଦ ମୋକିମ କହିଛନ୍ତି, “କେନ୍ଦ୍ର ସରକାର ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ ବିଫଳ। ମୋଦିଙ୍କୁ ଏହା ଜଣାଇବା ପାଇଁ ଆମେ ପ୍ରତୀକ ଧର୍ମଘଟ କରିବୁ। ଯୁବକ ଯୁବତୀଙ୍କୁ ଆଣି ପକୁଡି ଷ୍ଟଲ କରିବୁ। ପକୁଡି ଛାଣି ଲୋକଙ୍କୁ ମାଗଣାରେ ଖାଇବାକୁ ଦେବୁ।”

ନିକଟରେ ମୋଦି କଥା ଛଳରେ ଶିକ୍ଷିତ ଯୁବକ ଯୁବତୀଙ୍କୁ ପକୁଡି ବିକିବା ପାଇଁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ରାଜନୀତି ଜୋର୍ ଧରିଥିଲା।

ପେଟ୍ରୋଲ, ଡିଜେଲ ଦର ବୃଦ୍ଧିର ପ୍ରତିବାଦ କରିଛି କଂଗ୍ରେସ। କଟକର ସବୁ ପେଟ୍ରୋଲ ଟାଙ୍କି ସମ୍ମୁଖରେ କଂଗ୍ରେସ ୨ ଘଣ୍ଟିଆ ପ୍ରତିବାଦ କରିଛି।

Comment