ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋଦି କଟକ ସଭାରେ ଚତୁରତାର କାର୍ଡ ଖେଳିଛନ୍ତି। ବିଜେଡି ସରକାର କିମ୍ବା ନବୀନ ପଟ୍ଟନାୟକଙ୍କ ନାଁ ନନେଇ ମୋଦି ସ୍ୱାସ୍ଥ୍ୟସେବା ଓ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କଟକ ଗସ୍ତରେ ଆସି ଜନକଲ୍ୟାଣ ସମାବେଶରେ ଯୋଗଦେଇ ଦିଲ୍ଲୀ ଫେରି ଯାଇଛନ୍ତି। ଚାରି ବର୍ଷର ରିପୋର୍ଟ କାର୍ଡ ସମ୍ପର୍କରେ କହିବା ମହାନଦୀ ଏବଂ ସ୍ୱାସ୍ଥ୍ୟ ବିଭାଗ ଉପରେ ବର୍ଷିଛନ୍ତି ମୋଦି। ହେଲେ ମୋଦି କୌଣସି ଜାଗାରେ ସିଧାସଳଖ ନବୀନ କିମ୍ବା ବିଜେଡିର ନାଁ ନେଇ ନାହାନ୍ତି। ରାଜ୍ୟ ସରକାରଙ୍କ ବିଫଳତାକୁ ଟାର୍ଗେଟ କରି ମୋଦି ଦିଲ୍ଲୀ ଫେରି ଯାଇଛନ୍ତି।

ମୋଦି ତାଙ୍କ ଭାଷଣରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଟାର୍ଗେଟ କରିଥିଲେ। କହିଥିଲେ, ପୂର୍ବ ଭାରତର ସ୍ୱାସ୍ଥ୍ୟସେବା ଉଦବେଗର ବିଷୟ। ଓଡ଼ିଶା କଥା ନକହିବା ଭଲ। ରାଜ୍ୟ ସରକାର ତାଙ୍କ ଦାୟିତ୍ୱ ଠିକ୍ ଭାବେ ନିର୍ବାହ କରୁ ନାହାନ୍ତି। ଯଦି କରୁଥାନ୍ତେ ତାହାଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍ୱାସ୍ଥ୍ୟ ସେବାର ଦୟନୀୟ ଚିତ୍ର ଗଣମାଧ୍ୟମରେ ପ୍ରକାଶ ପାଉ ନଥାନ୍ତା।

ଏହାସହ ମୋଦି ଆହୁରି କହିଛନ୍ତି ଯେ, ଗୁରୁତର ରୋଗୀଙ୍କ ପାଇଁ ଭୁବନେଶ୍ବରରେ ଏମ୍ସ ପ୍ରତିଷ୍ଠା କରାଯାଉଛି। କଟକ, ବ୍ରହ୍ମପୁର, ବୁର୍ଲା ମେଡିକାଲ କଲେଜକୁ ଅପଗ୍ରେଡେସନ କରାଯାଉଛି। ଏହି ମେଡିକାଲ କଲେଜରୁ ଯେଉଁ ଡାକ୍ତର ଓ ନର୍ସ ତିଆରି ହେବେ ସେମାନେ ଦେଶ ପ୍ରଗତିରେ ସହାୟକ ହେବେ।

ସ୍ୱାସ୍ଥ୍ୟସେବା ପରେ ମୋଦି ମହାନଦୀ ପ୍ରସଙ୍ଗରେ ଜବାବ ଦେଇଥିଲେ। କେନ୍ଦ୍ର ସରକାର ମହାନଦୀ ବିବାଦ ସମାଧାନ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ରାଜ୍ୟ ସରକାର ପଛଘୁଞ୍ଚା ଦେଇଥିଲେ। ମହାନଦୀକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି।

ଏହି ଦୁଇଟି ପ୍ରସଙ୍ଗରେ ମୋଦି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ହେଲେ କେଉଁଠି ବି ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ନାହାନ୍ତି।

ମହାନଦୀ ପ୍ରସଙ୍ଗରେ ନବୀନ ଉଭୟ ଛତିଶଗଡ଼ ଏବଂ କେନ୍ଦ୍ରର ବିଜେପି ସରକାରଙ୍କ ନାଁ ନେଇ ବର୍ଷିଥିଲେ। ବିଜେପି ସରକାର ଓଡ଼ିଶା ଦେଇ ପ୍ରବାହିତ ହେଉଥିବା ମହାନଦୀକୁ ଶୁଖାଇବା ପାଇଁ ଷଡ଼ଯନ୍ତ୍ର କରୁଥିବା କହିଥିଲେ। ହେଲେ ମୋଦି ଆଜି ବିଜେଡି ଓ ନବୀନଙ୍କ ନାଁ ନନେଇ ଚତୁରତାର କାର୍ଡ ଖେଳିଛନ୍ତି। ଏହା ମୋଦିଙ୍କର ରାଜନୀତି ମାଷ୍ଟରଷ୍ଟ୍ରୋକ ବୋଲି ଚର୍ଚ୍ଚା ହେଉଛି।

Comment