ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଏବେ କ୍ୟାରିଅରରେ ପନ୍ଦର ବର୍ଷ ପୂରଣ କରିବାକୁ ଯାଉଛନ୍ତି ଆସନ୍ତୁ ଜାଣିବା ଏଯାଏଁ ସେ କେଉଁ ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି

୨୦୦୩ ମସିହାରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ ଓଲିଉଡର ସୁପରଷ୍ଟାର୍ ଅନୁଭବ ମହାନ୍ତି। ତାଙ୍କୁ ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ) ଓ ନିର୍ଦ୍ଦେଶକ ହର ପଟ୍ଟନାୟକ ହିରୋ ଭାବେ ବଡ଼ ପରଦାରେ ଲଞ୍ଚ୍ କରିବାର ରିସ୍କ ଉଠାଇଥିଲେ। ଏଥିପାଇଁ ସେ ଦୁହିଁଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥିଲା। ତାଙ୍କର ପ୍ରଥମ ଫିଲ୍ମ ‘ଆଇ ଲଭ୍ ୟୁ’ ରିଲିଜ୍ ହୋଇଥିଲା ୨୦୦୪ ମସିହା ଜାନୁଆରୀ ୧୧ ତାରିଖରେ। ଏହାର ନିର୍ଦ୍ଦେଶକ ଥିଲେ ହର ପଟ୍ଟନାୟକ। ଏହାପରେ ସେ ପ୍ରଶାନ୍ତ ନନ୍ଦଙ୍କଠୁଁ ଆରମ୍ଭ କରି ରମେଶ ରାଉତଙ୍କ ଯାଏଁ ବେଶ୍ କେତେଜଣ ପ୍ରତିଭାସମ୍ପନ୍ନ ନିର୍ଦ୍ଦେଶକଙ୍କ ଫିଲ୍ମରେ ନଜର ଆସିଛନ୍ତି।

କେତେଜଣ ପପୁଲାର ନିର୍ଦ୍ଦେଶକଙ୍କ ସହ କିନ୍ତୁ ଏଯାଏଁ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର। ଆସନ୍ତୁ ଜାଣିବା ସେମାନେ  କିଏ।

ଶିଶିର ମିଶ୍ର

‘ପଦ୍ମଶ୍ରୀ’ ସମ୍ମାନପ୍ରାପ୍ତ ତଥା ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ନିର୍ଦ୍ଦେଶକ ହେଲେ ଶିଶିର ମିଶ୍ର। ସେ ‘ସିନ୍ଦୂର ବିନ୍ଦୁ’, ‘ସୁବର୍ଣ୍ଣ ସୀତା’, ‘ସୁନା ସଂସାର’, ‘ସମୟ ବଡ ବଳବାନ୍’, ‘ବସ୍ତ୍ରହରଣ’, ‘ଏଇ ଆମ ସଂସାର’, ‘ସୁନା ଭାଉଜ’ ଓ ‘ସାବତ ମା’ ଭଳି ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।

ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ପ୍ରଥମ ସିନେମା ରିଲିଜ୍ ହେବାପରେ ଅବଶ୍ୟ ଶିଶିର ମିଶ୍ରଙ୍କ କୌଣସି ଓଡ଼ିଆ ଫିଲ୍ମ ରିଲିଜ୍ ହୋଇନାହିଁ। କିନ୍ତୁ ସେ ହିନ୍ଦୀ ସିନେମା ‘ଅସୀମା’ର ନିର୍ଦ୍ଦେଶନା ଦେଇଥିଲେ। ହେଲେ ଏଥିରେ ଓଲିଉଡର ସୁପରଷ୍ଟାର ଅନୁଭବଙ୍କୁ କିନ୍ତୁ କାମ କରିବାର ସୁଯୋଗ ମିଳିନାହିଁ। ‘ଅସୀମା’ରେ ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ଅଭିନୟ କରିଥିଲେ।

ରାଜୁ ମିଶ୍ର

ଓଲିଉଡର ଜଣେ ଅଲରାଉଣ୍ଡର ହେଲେ ରାଜୁ ମିଶ୍ର। ସେ ନିର୍ଦ୍ଦେଶକ ଭାବେ ‘ଜୋର ଯାର ମୂଲକ ତାର’, ‘ପୁଅ ମୋର କଳାଠାକୁର’, ‘ଚକା ଆଖି ସବୁ ଦେଖୁଛି’, ‘ଆସୁଛି ମୋ କାଳିଆ ସୁନା’, ‘ସତ ମିଛ’, ‘ରୂପା ଗାଁର ସୁନା କନିଆଁ’, ‘ପଥର ଖସୁଛି ବଡ ଦେଉଳୁ’, ‘ହରି ଭାଇ ହାରେନା’ ଓ ‘ଜୀବନ ମୃତ୍ୟୁ’ ଆଦି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି।

‘ଜୟଦେବ’ ପୁରସ୍କାରପ୍ରାପ୍ତ ରାଜୁ ମିଶ୍ର ଓଲିଉଡର ସୁପରଷ୍ଟାର ଅନୁଭବଙ୍କ ଓଲିଉଡରେ ଏଣ୍ଟ୍ରିପରେ ‘ଜୀବନ ମୃତ୍ୟୁ’ ଓ ‘ହରି ଭାଇ ହାରେନା’ ନିର୍ମାଣ କରିଛନ୍ତି। ହେଲେ ସେଥିରେ ଅନୁଭବଙ୍କୁ ନେଇ ନଥିଲେ ରାଜୁ ମିଶ୍ର। ଏ ଦୃଷ୍ଟିରୁ ଏଯାଏଁ ରାଜୁ ମିଶ୍ରଙ୍କ ସାଥ୍ ପାଇନାହାନ୍ତି ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ମହାନ୍ତି ବୋଲି କୁହାଯିବ।

ସଂଗ୍ରାମ ବିଶ୍ୱାଳ

ଓଲିଉଡରେ ନିର୍ଦ୍ଦେଶନା କ୍ଷେତ୍ରରେ ଏକଦା ବେଶ୍ ଚର୍ଚ୍ଚାରେ ଥିଲେ ସଂଗ୍ରାମ୍। ସେ ‘ରଖିଲେ ଶିବ ମାରିବ କିଏ’, ‘ସକଳ ତୀର୍ଥ ତୋ ଚରଣେ’, ‘ମହାସଂଗ୍ରାମ’, ‘ବିଧାତା’, ‘ଧର୍ମନିକିତି’, ‘ତୋ ଆଖି ମୋ ଆଇନା’, ‘ରାକ୍ଷୀ ଭିଜିଗଲା ଆଖି ଲୁହରେ’, ‘ଆଇ ଲଭ ମାଇଁ ଇଣ୍ଡିଆ’ ଏବଂ ‘ଲାଲ୍ ଟୁକୁ ଟୁକୁ ସାଧବ ବୋହୁ’ ଆଦି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି।

ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଏଣ୍ଟ୍ରି କରିବା ପରେ ସଂଗ୍ରାମ ବିଶ୍ୱାଳ ‘ଆଇ ଲଭ୍ ମାଇଁ ଇଣ୍ଡିଆ’ ଓ ‘ଲାଲ୍ ଟୁକୁ ଟୁକୁ ସାଧବ ବୋହୂ’ ଭଳି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି।  କିନ୍ତୁ ଏଥିରେ ଯଥାକ୍ରମେ ବୁଦ୍ଧାଦିତ୍ୟ ମହାନ୍ତି ଓ ଅରିନ୍ଦମ୍ ନାୟକ ଭୂମିକା ନିଭାଇଥିଲେ।

ହିମାଂଶୁ ଖଟୁଆ

ଓଲିଉଡର ସୁପରଷ୍ଟାର୍ ଅନୁଭବ ମହାନ୍ତି ସିନେଜଗତରେ ପ୍ରବେଶ କରିବା ପରେ ପ୍ରଖ୍ୟାତ ନିର୍ଦ୍ଦେଶକ ହିମାଂଶୁ ଖଟୁଆ ‘କଥାନ୍ତର’ ଓ କ୍ରାନ୍ତିଧାରା ଭଳି ସମାନ୍ତରାଳ ସିନେମା ନିର୍ମାଣ କରିଥିଲେ। ହେଲେ କୌଣସି ମଧ୍ୟ ସିନେମାରେ ଅଭିନୟର ସୁଯୋଗ ମିଳିନାହିଁ ସିନେଷ୍ଟାର ଅନୁଭବଙ୍କୁ।

ସବ୍ୟସାଚୀ ମହାପାତ୍ର

ଉଭୟ ସମାନ୍ତରାଳ ଓ ବ୍ୟାବସାୟିକ ସିନେମା ନିର୍ମାଣକରି ସଫଳତା ହାସଲ କରିଛନ୍ତି ସବ୍ୟସାଚୀ ମହାପାତ୍ର। ଅନୁଭବଙ୍କ ଓଲିଉଡରେ ଏଣ୍ଟ୍ରି ପରେ ସେ ‘ଜୟ ଜଗନ୍ନାଥ’, ‘ଶଳା ବୁଢ଼ା’ ଓ ‘ଆଦିମ ବିଚାର’ ଆଦି ସିନେମା ତିଆରି କରିଛନ୍ତି। ହେଲେ ଏଯାଏଁ ସବ୍ୟସାଚୀ ମହାପାତ୍ରଙ୍କ ସହିତ କାମ କରିବାର ସୁଯୋଗ ପାଇନାହାନ୍ତି ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି।

Comment