ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁବର୍ଣ୍ଣରେଖା ନଦୀ ମୁହାଣରେ ଏକ ଆଧୁନିକ ବନ୍ଦର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଛି। ଏଥିପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆବଶ୍ୟକୀୟ ମଞ୍ଜୁରୀ ମିଳିଛି।ବଙ୍ଗୋପସାଗରରେ ବାଲେଶ୍ୱର ଜିଲ୍ଲାରେ ଏହି ବନ୍ଦର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଚେନ୍ନାଇର କ୍ରିଏଟିଭ ପୋର୍ଟ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହି ସବୁଦିନିଆ ବନ୍ଦର ପାଇଁ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଆଗ୍ରହର ବିଷୟ ହେଉଛି ଏହି ବନ୍ଦର ନିର୍ମାଣ ପାଇଁ ମୂଳ ସଂସ୍ଥା ଠାରୁ ଟାଟା ଷ୍ଟିଲ ୫୧ ପ୍ରତିଶତ ଅଂଶଧନ କିଣିସାରିଛି।

ଖବର ଅନୁସାରେ ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ନିକଟରେ ଏହି ବନ୍ଦର ନିର୍ମାଣ ହେବ। ଏ ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ପୂର୍ବରୁ କିଛି ଆପତ୍ତି ଉଠାଯାଇଥିଲା। ଏହା ବର୍ତ୍ତମାନ ସମାଧାନ ହୋଇଛି। ବନ୍ଦର ନିର୍ମାଣ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଥିଲା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ୬୯୩ ଏକର ଜମିକୁ କମ୍ପାନିକୁ ହସ୍ତାନ୍ତର କରାଯାଇସାରିଛି।

ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ହେବା ପରେ ରାଜ୍ୟର ବନ୍ଦର କ୍ଷମତା ଆଶାତୀତ ଭାବେ ବୃଦ୍ଧି ପାଇବା ଆଶା କରାଯାଉଛି। ପାରାଦୀପ, ଧାମରା ଓ ଗୋପାଳପୁର ପରେ ସୁବର୍ଣ୍ଣରେଖା ହେବ ଓଡ଼ିଶାର ଚତୁର୍ଥ ବୃହତ୍ତ ବନ୍ଦର। ଏହାଦ୍ୱାରା ଉତ୍ତର ଓଡ଼ିଶାର ଆର୍ଥିକ ଉନ୍ନତି ହେବ ବୋଲି କହିଛନ୍ତି ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା। ଗତ ୨୦୦୬ ଡିସେମ୍ବର ମାସରେ କ୍ରିଏଟିଭ ପୋର୍ଟ ପକ୍ଷରୁ ଓଡ଼ିଶା ସରକାରଙ୍କ ସହ ଏନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ପରେ ରାଜସ୍ୱ ଭାଗବଣ୍ଟା ନେଇ ଆଉ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲା କମ୍ପାନି।

ରାଜସ୍ୱ ବଣ୍ଟନ ଚୁକ୍ତି ଅନୁଯାୟୀ ସୁବର୍ଣ୍ଣରେଖା ବନ୍ଦରର ବାର୍ଷିକ ମାଲ ବୋଝେଇ କ୍ଷମତା ଏକ କୋଟି ଟନ ରହିବ। ଦଶ ବର୍ଷ ପରେ ଏହା ୪ କୋଟିକୁ ବୃଦ୍ଧି ପାଇବ।

Comment