ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ
  • ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ପ୍ଲାଷ୍ଟିକ ବ୍ୟବହାର କମାଇବା ଉପରେ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

“ପ୍ଲାଷ୍ଟିକ ପ୍ରଦୂଷଣକୁ ନେଇ ଆଜି ସାରା ବିଶ୍ୱରେ ଉଦବେଗ ପ୍ରକାଶ ପାଇଛି। ଚାରିଆଡ଼େ କୁଢ଼କୁଢ଼ ପ୍ଲାଷ୍ଟିକ ଆବର୍ଜନା ପଡ଼ିରହିବା ଫଳରେ ପରିବେଶ ପ୍ରଦୂଷିତ ହେଉଛି। ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁଁ ସମାଜର ଅନେକ କ୍ଷତି ହେଉଛି। ଏଣୁ ପ୍ଲାଷ୍ଟିକ ବ୍ୟବହାର କମାଇବା ପାଇଁ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱରରେ ବିଶ୍ୱପରିବେଶ ଦିବସ ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ବିଭାଗ ପକ୍ଷରୁ ଏହି ଉତ୍ସବ ରବୀନ୍ଦ୍ରମଣ୍ଡପଠାରେ ଆୟୋଜନ କରାଯାଇଥିଲା। ଚଳିତବର୍ଷର ଥିମ୍ ହେଉଛି ‘ପ୍ଲାଷ୍ଟିକ ପ୍ରଦୂଷଣକୁ ପ୍ରତିହତ କରିବା’।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇକୋ କ୍ଲବର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ପ୍ରାକୃତିକ ସମ୍ପଦ ଓ ପରିବେଶର ସନ୍ତୁଳନ ପାଇଁ ଅଧିକ ଯତ୍ନବାନ ହୋଇ ସଙ୍କଳ୍ପବଦ୍ଧ ଭାବରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

“ପ୍ଲାଷ୍ଟିକର ଉଭାବକଙ୍କୁ ନୋବେଲ୍ ପୁରସ୍କାର ମିଳିଥିବା ବେଳେ ଆଜି ସେହି ପ୍ଲାଷ୍ଟିକ ଅଭିଶାପରେ ପାଲଟିଛି। ଏଣୁ ଆମକୁ ସୁଚିନ୍ତିତ ଭାବେ ପ୍ଲାଷ୍ଟିକର ବ୍ୟବହାର କରିବାକୁ ପଡ଼ିବ। ପରିବେଶର ସନ୍ତୁଳନ ପାଇଁ ନଦୀ, ହ୍ରଦ, ପର୍ବତ, ଜଙ୍ଗଲ ଏବଂ ବନ୍ୟପ୍ରାଣୀମାନଙ୍କର ସୁରକ୍ଷା, ସଂରକ୍ଷଣ ନିହାତି ଜରୁରୀ”, କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।

ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଡକ୍ଟର କେ ମୁରୁଗେସନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରକୃତି ବନ୍ଧୁମାନଙ୍କୁ ପୁରସ୍କାର ଦିଆଯାଇଥିଲା।

Comment