ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଜ୍ରାଘାତ ମୃତ୍ୟୁକୁ ରୋକିବା ପାଇଁ ସବୁ ଜିଲ୍ଲାରେ ରାଜ୍ୟ ସରକାର ଲାଇଟନିଂ ସେନସର୍ ଲଗାଇବାକୁ ଯୋଜନା କରୁଛନ୍ତି।

ରାଜ୍ୟ ସରକାରଙ୍କୁ ଘାରିଛି ବଜ୍ରାଘାତ ଚିନ୍ତା। ବଜ୍ରାଘାତ ମୃତ୍ୟୁକୁ ପ୍ରତିହତ କରିବା ପାଇଁ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି। ସବୁ ଜିଲ୍ଲାରେ ଲାଇଟନିଂ ସେନସର୍‌ ଲଗାଇବାକୁ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଆସନ୍ତା ସପ୍ତାହରେ ଆମେରିକୀୟ କମ୍ପାନି ସହ ଏମଓୟୁ ସ୍ୱାକ୍ଷର କରିବେ ରାଜ୍ୟ ସରକାର।

ଲାଇଟ୍‌ନିଂ ଜୋନ୍ ଭିତରେ ରହିଲେ ପ୍ରାକ୍ ବଜ୍ରାଘାତର ସୂଚନା ମିଳିବ। ମୋବାଇଲ ଏବଂ ଗଣମାଧ୍ୟମ ଜରିଆରେ ଏହି ସୂଚନା ମିଳିପାରିବ।

“ବ୍ରଜ୍ରାଘାତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ବଜ୍ରାଘାତକୁ ପ୍ରତିହତ କରିବା ପାଇଁ ଏବଂ ପ୍ରାକ୍ ସୂଚନା ଦେବା ପାଇଁ ଲାଇଟ୍‌ନିଂ ସେନସର୍ ଲଗାଇବାକୁ ଯୋଜନା କରାଯାଉଛି”, କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ।

ଉଚ୍ଚ କୋଠା, ମନ୍ଦିର ଏବଂ ବାତ୍ୟା ଆଶ୍ରୟସ୍ଥଳୀରେ ଲାଇଟ୍‌ନିଂ ଆରେଷ୍ଟର ଲଗାଇବାକୁ ମଧ୍ୟ ଯୋଜନା କରାଯାଉଥିବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

ଗତ ତିନି ଦିନ ତଳେ ବଜ୍ରାଘାତରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୦ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୮ ଜଣ ଆହତ ହୋଇଥିଲେ। ରବିବାର ଦିନ ହକି ମ୍ୟାଚ ଚାଲିଥିବା ବେଳେ ବଜ୍ରାଘାତ ହେବାରୁ ସୁନ୍ଦରଗଡ଼ ଜିଲ୍ଲାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ବାଲେଶ୍ୱର ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା।

Comment