ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶରୁ ଓଡ଼ିଶାର ସାତକୋଶିଆରେ ପହଞ୍ଚିଲା ମହାବଳ ବାଘ। ସାତକୋଶିଆରେ ବାଘର ରହିବା ଓ ଖାଇବା ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା।

ସାତକୋଶିଆ ଜଙ୍ଗଲରେ ବାଘ ସଂଖ୍ୟା ବଢ଼ାଇବା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ମହାବଳ ବାଘ ଆସିଛି। ବାଘକୁ ନିଶ୍ଚେତକ ଦିଆଯାଇ ସାତକୋଶିଆରେ ଛଡ଼ାଯାଇଛି।

୪୮ ଘଣ୍ଟାର ଯାତ୍ରା ପରେ ମହାବଳ ବାଘ ସାତକୋଶିଆରେ ପହଞ୍ଚିଛି। ମହାବଳ ବାଘକୁ ଓଡ଼ିଶା ଆଣିବା ପାଇଁ ମଙ୍ଗଳବାରଠାରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟ ଯାଇଥିବା ବିଶେଷଜ୍ଞ ଟିମ୍ ପ୍ରଥମେ ମହାବଳ ବାଘକୁ ନିଶ୍ଚେତକ ଦେଇ ହାତୀ ପିଠିରେ ବସାଇ ଟ୍ରାଙ୍କୁଲାଇଜ କରିଥିଲେ।

ଏହାପରେ ସାବଧାନତାର ସହ ବାଘକୁ ସ୍ୱତନ୍ତ୍ର ଷ୍ଟ୍ରେଚରରେ ଆଣି ଯନ୍ତାରେ ରଖାଯାଇଥିଲା। ପରେ ସ୍ୱତନ୍ତ୍ର ଗାଡ଼ିରେ ମହାବଳକୁ ସାତକୋଶିଆକୁ ଅଣାଯାଇଛି।

ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ବିଶେଷଜ୍ଞ, ମଧ୍ୟପ୍ରଦେଶ ଓ ଓଡ଼ିଶାର ପ୍ରାଣୀ ବିଜ୍ଞାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଘକୁ ଓଡ଼ିଶା ଜଙ୍ଗଲକୁ ସ୍ଥାନାନ୍ତର କରାଯାଇଛି।

ସାତକୋଶିଆରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକ ଖୁଆଡ଼ ତିଆରି କରାଯାଇଛି। ବାଘର ଖାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏବେ ବାଘକୁ ଏନକ୍ଲୋଜରରୁ ଜଙ୍ଗଲକୁ ଛଡ଼ାଯିବ। ପରେ ଗତିବିଧି ଅନୁଧ୍ୟାନ ପାଇଁ ଜିପିଏସ୍‌ ଉପକରଣ ଲଗାଯିବ।

Comment