ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ‘ଏୟାର ଓଡ଼ିଶା’ ପକ୍ଷରୁ ଭୁବନେଶ୍ୱରରୁ ରାୟପୁର ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ ହୋଇଛି।

ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଭୁବନେଶ୍ୱରରୁ ରାୟପୁରକୁ ବିଧିବଦ୍ଧ ଭାବେ ସିଡ଼୍ୟୁଲ ବିମାନ ସେବା ଆରମ୍ଭ ହୋଇଛି। ଏୟାର ଓଡ଼ିଶା ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଶୁକ୍ରବାରଦିନ ସକାଳେ ‘ଏୟାର ଓଡ଼ିଶା’ର ଏକ ବିମାନ ରାୟପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

୧୮ ସିଟ୍ ବିଶିଷ୍ଟ ଏହି ବିମାନରେ ୨ଜଣ ପାଇଲଟ୍ ଓ ଜଣେ କ୍ୟାବିନ୍‌ କ୍ରୁ ରହିବେ। ଶୁକ୍ରବାରଦିନ ୯ ଜଣ ଯାତ୍ରୀଙ୍କୁ ନେଇ ସକାଳ ୬ଟା ୧୦ମିନିଟ୍‍ରେ ଏୟାର ଓଡ଼ିଶା ବିମାନ ଯାତ୍ରାରମ୍ଭ କରିଥିଲା।

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ବିମାନ ସେବାର ଉଦ୍‍ଘାଟନ କରିଥିଲେ। ରବିବାର ବ୍ୟତୀତ ସପ୍ତାହର ଅନ୍ୟ ୬ ଦିନ ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ଏହି ବିମାନ ଉଡ଼ାଣ ଆରମ୍ଭ କରିବ। ରାୟପୁରରେ ୭ଟା ୪୦ରେ ପହଞ୍ଚି ସେଠାରୁ ପୁଣି ଅପରାହ୍ଣ ୧୨ଟା ୧୫ରେ ବାହାରି ଭୁବନେଶ୍ୱରରେ ଅପରାହ୍ଣ ୧ଟା ୪୫ରେ ପହଞ୍ଚିବ। ଯାତ୍ରୀ ପିଛା ଟିକେଟ୍‍ ମୂଲ୍ୟ ୪,୪୯୯ ଟଙ୍କା ରହିଛି।

ଆସନ୍ତା ଦିନରେ ଏହି ବିମାନ ଉଡାଣ ଯୋଜନାରେ ସାମିଲ ହୋଇ ଝାରସୁଗୁଡ଼ା ଓ ରାଉରକେଲା ଯାତ୍ରା କରିବ। ଏହି ବିମାନ ସେବା ବେଶ୍‌ ଉପଯୋଗୀ ହେବ ବୋଲି ଯାତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here