ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଭୁବନେଶ୍ୱରରୁ ଦେଶର ପ୍ରମୁଖ ସ୍ଥାନଗୁଡ଼ିକୁ ବିମାନ ସେବାର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜୟପୁର ଓ କୋଚିକୁ ବିମାନ ଚଳାଚଳ କରିଛି। ଭୁବନେଶ୍ୱର ବିମାନବନ୍ଦରରେ ହୋଇଥିବା କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ ପତାକା ଦେଖାଇ ବିମାନସେବାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ପ୍ରଥମ ବିମାନ ଯାତ୍ରୀଙ୍କୁ ଟିକେଟ ହସ୍ତାନ୍ତର କରିଥିଲେ।
ଭୁବନେଶ୍ୱରରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଏହିସବୁ ନୂଆ ସହରକୁ ବିମାନସେବା ଆରମ୍ଭ ହୋଇଛି। ଅନ୍ୟପଟେ ଜାନୁଆରି ୧ ତାରିଖରେ ଷ୍ଟାର ଏୟାର ପକ୍ଷରୁ ଝାରସୁଗୁଡ଼ାରୁ ହାଇଦ୍ରାବାଦକୁ ବିମାନ ଚଳାଚଳ ଆରମ୍ଭ କରାଯାଇଥିଲା।
“ଏହି ବିମାନସେବା ଆରମ୍ଭ ହେବା ଦ୍ଵାରା ଭାରତର ବିଭିନ୍ନ ଅଞ୍ଚଳ ସହିତ ଆମ ରାଜ୍ୟର କଳା, ସଂସ୍କୃତି ଓ ଅର୍ଥନୀତି ମଧ୍ୟ ସଂଯୁକ୍ତ ହେବ। ନୂଆ ସ୍ଥାନଗୁଡ଼ିକୁ ବିମାନ ଚଳାଚଳ ହେଲେ ରାଜ୍ୟର ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ସହ ବିଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ଉପକୃତ ହେବେ। ସମସ୍ତଙ୍କ ମଧ୍ୟରେ ଯୋଗାଯୋଗ ସୁଦୃଢ଼ ହେବାସହ ଜୀବନଧାରାକୁ ସୁଗମ ହୋଇପାରିବ”, କହିଛନ୍ତି ବାବୁ ସିଂ।
ଶୁକ୍ରବାର ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଭୁବନେଶ୍ୱରରୁ ଜୟପୁର ଓ କୋଚି ମଧ୍ୟରେ ବିମାନସେବାର ଶୁଭାରମ୍ଭ ହୋଇଥିବାବେଳେ ଶନିବାର ଲକ୍ଷ୍ନୌକୁ ବିମାନ ଉଡ଼ାଣ କରିବ। ଏହାପରେ ଜାନୁଆରୀ ୧୫ ତାରିଖରେ ଦିନ ପାଟନାକୁ ମଧ୍ୟ ବିମାନ ଚଳାଚଳ ଆରମ୍ଭ ହେବ।
ସେହିପରି ଆଗକୁ ଷ୍ଟାର ଏୟାର ପକ୍ଷରୁ ଝାରସୁଗୁଡ଼ାରୁ ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ବିମାନ ଚଳାଚଳ କରିବ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଯୋଗ ଦେଇଥିଲେ। ଏହାସହ ବିଭାଗୀୟ ଅଧିକାରୀଙ୍କ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ଅଧିକାରୀମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
Tags: #FlightService #BijuPatnaikAirport #Bhubaneswar #JharsugudaAirport #Odisha