ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବିମାନ ବନ୍ଦରରେ ବିମାନ ସେବା ଆରମ୍ଭ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଯେଉଁ ସବୁ ନିର୍ଦ୍ଦେଶାବଳୀ ଆସିଛି ତାହାକୁ ପାଳନ କରି ଯାତ୍ରୀ ସେବା ଆରମ୍ଭ ହେବ ବୋଲି କହିଛନ୍ତି ଏୟାରପୋର୍ଟର ନିର୍ଦ୍ଦେଶକ ଭି ଭି ରାଓ।

ବ୍ୟକ୍ତିଗତ ଦୂରତା ବଜାୟ ରଖିବା, ଯାତ୍ରୀଙ୍କ ଲଗେଜର ସାନିଟାଇଜେସନ ଆଦି ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରାଯିବ ବୋଲି ସେ କହିଛନ୍ତି। ବିନା ସ୍ପର୍ଶରେ ଯେପରି ସୁରୁଖୁରୁରେ ଯାତ୍ରୀଙ୍କ ଯାଞ୍ଚ ଆଦି ହୋଇ ପାରିବ ସେନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଗ ଭଳି ସିଆଇଏସ୍‌ଏଫ୍‌ର ସୁରକ୍ଷା କର୍ମୀ ଆଉ ହାତରେ କୌଣସି ପ୍ରକାର କାଗଜପତ୍ର ଯାଞ୍ଚ କରିବେ ନାହିଁ। ସେହିଭଳି ମେଟାଲ ଡିଟେକ୍ଟରରେ ତନଖି  ବି ଆଉ ହେବ ନାହିଁ। ବିମାନ ବନ୍ଦର ଭିତରେ ଯାତ୍ରୀମାନେ ପାଖାପାଖି ବସିବେ ନାହିଁ। ଗୋଟିଏ ସିଟ୍‌ ଛାଡ଼ି ସେମାନେ ବସିବେ।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ସୋମବାରଠାରୁ ବିମାନ ଚଳାଚଳ ଆରମ୍ଭ ହେବ। ପ୍ରତି ବିମାନ ବନ୍ଦରରେ ମୂଳ କ୍ଷମତା ତୁଳନାରେ ମାତ୍ର ଏକ ତୃତୀୟାଂଶ ଫ୍ଲାଇଟ ଯିବା ଆସିବା କରିବ। ଏବେ କେବଳ ଦେଶ ଭିତରେ ହିଁ ବିମାନ ସେବାକୁ ସୀମିତ ରଖାଯିବ। ପରବର୍ତ୍ତୀ ସମୟରେ ଆନ୍ତର୍ଜାତିକ ଉଡାଣ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ।

Comment