ଓଡ଼ିଶାଲାଇଭ୍ ବ୍ୟୁରୋ

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସ୍ଥିତ ଉତ୍କେଲା ବିମାନ ବନ୍ଦରକୁ ଆରମ୍ଭ ହେଲା ବିମାନ ସେବା। ଗୁରୁବାର ସକାଳ ୧୧ଟା ସମୟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଉତ୍କେଲାକୁ ଉଡ଼ିଛି ପ୍ରଥମ ବିମାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀଳ ପତାକା ଦେଖାଇ ବିମାନଟିକୁ ଫ୍ଲାଗଅପ୍ କରିଥିଲେ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଇଣ୍ଡିଆ ୱାନ ଏୟାର ପକ୍ଷରୁ ଭୁବନେଶ୍ଵରରୁ ଉତ୍କେଲାକୁ ଏହି ବିମାନସେବା ଆରମ୍ଭ ହୋଇଛି। ଏୟାରଲାଇନ୍ସ ପକ୍ଷରୁ ଏହି ରୁଟରେ ୯ ସିଟ୍‌ ବିଶିଷ୍ଟ ଏକ ‘ସେସନା’ ବିମାନ ଯାତ୍ରୀଙ୍କୁ ନେଇ ଉତ୍କେଲାକୁ ଉଡ଼ିଛି। ମାତ୍ର ଘଣ୍ଟେ ଦଶ ମିନିଟରେ ମଧ୍ୟରେ ଏହା ଉତ୍କେଲାରେ ପହଞ୍ଚିବ।

ନିୟମିତ ସେବାରେ ଉତ୍କେଲାକୁ ସପ୍ତାହରେ ମଙ୍ଗଳବାର ଓ ଗୁରୁବାର ଦୁଇ ଦିନ ବିମାନ ଚଳାଚଳ କରିବ। ବିମାନଟି ସକାଳ ୭ଟା ୧୫ରେ ଭୁବନେଶ୍ଵର ଛାଡ଼ି ୮ଟା ୨୫ରେ ଉତ୍କେଲାରେ ପହଞ୍ଚିବ। ସେହିପରି ଉତ୍କେଲାରୁ ସକାଳ ୮ ଟା ୫୦ରେ ବାହାରି ୧୦ଟା ବେଳେ ଭୁବନେଶ୍ଵରରେ ପହଞ୍ଚିବାକୁ ସମୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ଗୋଟିଏ ରୁଟରେ ଯାତ୍ରା ଲାଗି ଟିକେଟର ଦାମ ୯୯୯ ଟଙ୍କା ରଖାଯାଇଛି।

ଉତ୍କେଲା ବିମାନବନ୍ଦରକୁ ଅଗଷ୍ଟ ୭ ତାରିଖରେ ଡିଜିସିଏ ପକ୍ଷରୁ ଲାଇସେନ୍ସ ମିଳିଥିଲା। ଭୁବନେଶ୍ଵରରୁ ଅଗଷ୍ଟ ୨୯ ତାରିଖରେ ଏଠାକୁ ବିମାନର ଟ୍ରାଏଲ୍ ରନ କରାଯାଇଥିଲା।

ଉତ୍କେଲାକୁ ବିମାନ ଚଳାଚଳ ଆରମ୍ଭ କାର୍ଯ୍ୟକ୍ରମରେ ଭୁବନେଶ୍ଵର ବିମାନବନ୍ଦରରେ ରାଜ୍ୟ ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ପରିବହନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Tags: #UtkelaAirport #AirServices #BhubaneswarAirport #IndiaOneAir #Odisha

 

Comment