ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଓମିକ୍ରନ ଚିହ୍ନଟ କରିବ ଓମିସିୟୋର
  • ୪ ଘଣ୍ଟାରେ ଚିହ୍ନଟ ହେବେ ଓମିକ୍ରନ ଆକ୍ରାନ୍ତ
  • ଭାରତର ପ୍ରଥମ ସ୍ୱଦେଶୀ ପରୀକ୍ଷା କିଟ୍‌ ଓମିସିୟୋର

ପ୍ରଥମ ରାଜ୍ୟ ଭାବେ ଓମିସିୟୋର କିଟ୍‌ କିଣିଛି ଓଡ଼ିଶା। ବୁଧବାର ରାଜ୍ୟରେ ୩୦ ହଜାର ଓମିସିୟୋର କିଟ୍‌ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ସହରରେ ଏହି କିଟ୍‌ ବ୍ୟବହାର କରାଯିବ। ଏହି ସହରଗୁଡ଼ିକ ହେଲା ବ୍ରହ୍ମପୁର, କଟକ, ରାଉରକେଲା, ଭୁବନେଶ୍ୱର। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏହି କିଟ୍‌ ଦ୍ୱାରା ଓମିକ୍ରନ ପ୍ରଜାତି ୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇପାରିବ। ରାଜ୍ୟରେ ଜିନୋମ ସିକ୍ୱେସିଂ ଅଧିକ ସଂଖ୍ୟକ ହୋଇପାରୁନଥିବାରୁ ଓମିସିୟୋର କିଟ୍‌ ନୂଆ ପ୍ରଜାତି ଚିହ୍ନଟ କରିବାରେ ବିଶେଷ ସହାୟକ ହେବ।

ରାଜ୍ୟ ସରକାର ୫ ଲକ୍ଷ ଓମିସିୟୋର କିଟ୍ ମଗାଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ କିଛି ୩୦ ଜହାର କିଟ୍ ଆସିଛି। ଏହି କିଟ୍‌ ପହଁଚିବା ପରେ ଏବେ ଡ୍ରାଏ ରନ୍‌ ଚାଲିଛି।

ଓମିସୟୋର କିଟ୍‌ କ’ଣ?

ଓମିସିୟୋର ଭାରତର ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ ତିଆରି କରିଥିବା ପ୍ରଥମ ସ୍ୱଦେଶୀ ପରୀକ୍ଷା କିଟ୍‌। ତୃତୀୟ ଲହରରେ ଡେଲଟା ଭୂତାଣୁକୁ ଓମିକ୍ରନ ପଛରେ ପକାଇଥିବ ନେଇ ବିଶେଷଜ୍ଞମାନେ କହୁଥିବା ବେଳେ ଓମିସିୟୋର କିଟ୍‌ ଏହାକୁ ସ୍ପଷ୍ଟ କରିବ ବୋଲି ଆଶା କରାଯାଉଛି। କିଛି ଦିନ ତଳେ ଆଇସିଏମଆର ଏହି କିଟ୍‌ ବ୍ୟବହାରକୁ ମଞ୍ଜୁରି ଦେଇଛି।

ଆଇଏଲଏସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଯେତିକି ସଂଖ୍ୟାରେ ନମୁନାର ଜିନୋମ ସିକ୍ୱେନ୍ସିଂ କରାଯାଉଛି ସେଥିମଧ୍ୟରୁ ବହୁସଂଖ୍ୟାରେ ଓମିକ୍ରନ ପ୍ରଜାତି ଚିହ୍ନଟ ହେଉଛନ୍ତି। ରାଜ୍ୟରେ ଦୈନିକ ସଂକ୍ରମଣ ୧୦ରୁ ୧୧ ହଜାର ରହୁଥିବା ବେଳେ ସେ ତୁଳନାରେ ରାଜ୍ୟରେ କିନ୍ତୁ ଜିନୋମ ସିକ୍ୱେନ୍ସିଂ ପରିମାଣ ବହୁତ କମ୍‌ ରହିଛି। ତେଣୁ ଓମିସିୟୋର ଆସିବା ପରେ ଏହି ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି।

ଜିନୋମ ସିକ୍ୱେନ୍ସିଂ କ’ଣ?

ଭୂତାଣୁ ଚିହ୍ନଟ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଜିନୋମ ସିକ୍ୱେନ୍ସିଂ କୁହାଯାଏ। ଏହା କି ପ୍ରକାର ଭୂତାଣୁ, ଏହା କିଭଳି ଦେଖାଯାଏ ତାହା ଜିନୋମ ସିକ୍ୱେନ୍ସିଂ ମାଧ୍ୟମରେ ଜଣାପଡ଼େ। ଏହି ପ୍ରକ୍ରିୟାରୁ ହିଁ କରୋନାର ନୂତନ ଷ୍ଟ୍ରେନ୍ ଜଣାପଡ଼ୁଛି।

ବର୍ତ୍ତମାନ ଦେଶରେ ଜିନୋମ ସିକ୍ୱେନ୍ସିଂ ପାଇଁ ୧୦ଟି ଲ୍ୟାବ ଅଛି, ଏଥିମଧ୍ୟରେ ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି (ନୂଆଦିଲ୍ଲୀ), ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (ହାଇଦ୍ରାବାଦ), ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଭୁବନେଶ୍ୱର), ଏନସିବିଏସ୍‌ (ବେଙ୍ଗାଳୁରୁ), ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ବାୟୋମେଡିକାଲ୍ ଜେନୋମିକ୍ସ (କଲ୍ୟାଣୀ, ପଶ୍ଚିମବଙ୍ଗ), ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବାଇରୋଲୋଜି (ପୁଣେ) ରହିଛି।

Comment