ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ଵରରୁ ନୂଆଦିଲ୍ଲୀ ଯାଉଥିଲା ଇଣ୍ଡିଗୋର ବିମାନ ୬ଇ ୨୦୬୫
  • ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭୁବନେଶ୍ଵରରେ ଜରୁରୀ ଅବତରଣ
  • ବିମାନରେ ଯାଉଥିବା ସମସ୍ତ ୧୮୦ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରେ କରିଛି ଜରୁରୀକାଳୀନ ଅବତରଣ। ସୋମବାର ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ପୁଣି ଭୁବନେଶ୍ୱର ଫେରି ଆସିଥିଲା। ବିମାନରେ ଯାଉଥିବା ସମସ୍ତ ୧୮୦ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ସୋମବାର ସକାଳ ୮ଟା ବେଳେ ଇଣ୍ଡିଗୋର ବିମାନ ୬ଇ ୨୦୬୫ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଉଡ଼ାଣର ୨୫ ମିନିଟ ଭିତରେ ବିମାନର ବାମ ପାର୍ଶ୍ୱ ଇଂଜିନରେ ଯାନ୍ତ୍ରିକ ସମସ୍ୟା ଦେଖା ଦେଇଥିଲା। ଏନେଇ ପାଇଲଟଙ୍କ ଘୋଷଣା ପରେ ବିମାନରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା।

ଏହାପରେ ଇଣ୍ଡିଗୋର ପାଇଲଟ ଜଣଙ୍କ ବିମାନଟିକୁ ଫେରାଇ ଆଣିବାକୁ ଭୁବନେଶ୍ଵର ବିମାନବନ୍ଦର ଏଟିସି ସହ ଯୋଗାଯୋଗ କରିଥିଲେ। ଏଟିସିର ଅନୁମତି ପରେ ବିମାନଟି ଭୁବନେଶ୍ଵରରେ ଜରୁରୀ ଅବତରଣ କରିଥିଲା।

ବର୍ତ୍ତମାନ ଇଣ୍ଡିଗୋର ବିମାନଟି ଭୁବନେଶ୍ଵର ବିମାନବନ୍ଦରରେ ରହିଛି। ବିମାନବନ୍ଦର କର୍ତ୍ତୃପକ୍ଷ ଏହି ଜରୁରୀ ଅବତରଣକୁ ନେଇ ‘ଡିଜିସିଏ’ଙ୍କୁ ଜଣାଇଛନ୍ତି। ତେବେ ଡିଜିସିଏର ନିର୍ଦେଶ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିମାନବନ୍ଦର ପକ୍ଷରୁ କୁହାଯାଇଛି। ଏବେ ଇଣ୍ଡିଗୋ ପକ୍ଷରୁ ଯାତ୍ରୀମାନଙ୍କୁ ଦିଲ୍ଲୀ ନେବା ପାଇଁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରାଯାଉଛି।

Tags: #IndigoAirlines #EmergencyLanding #BhubaneswarAirport #AviationSafety #India

 

Comment