ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅୟୋଜିତ ‘ସ୍କିଲିଂ ଇଣ୍ଡିଆ: ଭାରତରେ ବାଣିଜ୍ୟ ଶିକ୍ଷାକୁ ନୂତନ ଆଭିମୁଖ୍ୟ ପ୍ରଦାନର ଆବଶ୍ୟକତା’ ଶୀର୍ଷକ ଏକ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ ନାଲ୍‌କୋ ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ।

ଡକ୍ଟର ଚାନ୍ଦ କହିଛନ୍ତି ଯେ ୨୦୩୦ ମସିହା ସୁଦ୍ଧା ଭାରତରେ ଇସ୍ପାତ ଓ ଆଲୁମିନିୟମ୍ ଉପଯୋଗର ପରିମାଣ ତିନିଗୁଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ଦକ୍ଷ ମାନବସମ୍ବଳର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇବ। ଭାରତରେ କର୍ମନିଯୁକ୍ତିର ଢାଞ୍ଚା କ୍ରମଶଃ ପରିବର୍ତ୍ତନ ହେଉଛି। ଏଥିପାଇଁ ଶିଳ୍ପାନୁଷ୍ଠାନ ଏବଂ ଉଦ୍ୟୋଗଗୁଡ଼ିକର ଆବଶ୍ୟକତା ଅନୁସାରେ ଦକ୍ଷତାକୁ ମଧ୍ୟ ବିକଶିତ ଓ ପରିବର୍ତ୍ତିତ କରିବାର ଆବଶ୍ୟକତା ରହିଛି।

ନିଯୁକ୍ତିସୁଯୋଗ ସୃଷ୍ଟିର ଗୁରୁତ୍ୱ ସମ୍ପର୍କରେ ଡକ୍ଟର ଚାନ୍ଦ କହିଲେ ଯେ ଆଲୁମିନିୟମ୍ କ୍ଷେତ୍ରରେ ଅଭିବୃଦ୍ଧି ସହ ନାଲ୍‌କୋ ମଧ୍ୟ ସଂପ୍ରସାରଣ ଦିଗରେ ପଦକ୍ଷେପ ଗ୍ରହଣ କରୁଛି। ନାଲ୍‌କୋରେ ଆଗାମୀ ଦିନରେ ୧୧୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି ଏବଂ କମ୍ପାନି ଏଥିପାଇଁ ୟୁପିଏସସି ସ୍କ୍ରିନିଂ ବ୍ୟବସ୍ଥାରୁ ପ୍ରାର୍ଥୀ ହାସଲ କରିବାକୁ ଯୋଜନା କରିଛି।

ଏହି ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ, କାରଣ ସେମାନେ ୟୁପିଏସ୍‌ସି ସ୍କ୍ରିନିଂରେ ଉତ୍ତୀର୍ଣ୍ଣ ହୋଇଥିବେ।

ଡକ୍ଟର ଚାନ୍ଦ ଆହୁରି କହିଛନ୍ତି ଯେ ସଂପ୍ରସାରଣ ପାଇଁ ଧାର୍ଯ୍ୟ ୨୮,୦୦୦ କୋଟି ଟଙ୍କା ମଧ୍ୟରୁ ୮୦୦୦ କୋଟି ଟଙ୍କା ବିଭିନ୍ନ ବୃହତ୍ ପ୍ରକଳ୍ପରେ ବିନିଯୋଗ କରିବା ପାଇଁ ନାଲ୍‌କୋ ପଦକ୍ଷେପ ନେବା ଆରମ୍ଭ କରିଛି।

ଓଡ଼ିଶାରେ ପାଖାପାଖି ୧୫ ଲକ୍ଷ ଜନସାଧାରଣଙ୍କ ପାଇଁ ନିଯୁକ୍ତି ସୁଯୋଗ ପ୍ରଦାନ କରୁଥିବା କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗଗୁଡ଼ିକୁ ପ୍ରଶଂସା କରିଥିଲେ ଡକ୍ଟର ଚାନ୍ଦ। ଏମ୍ଏସ୍ଏମ୍ଇଗୁଡ଼ିକ ସେମାନଙ୍କ କ୍ରୟ ଶକ୍ତିର ସୀମିତତା ଏବଂ ବ୍ରାଣ୍ଡ ପରିଚୟର ଅଭାବ ହେତୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ସମସ୍ୟାର ସମାଧାନ ନିମନ୍ତେ, ଏକ ଦାୟିତ୍ୱସମ୍ପନ୍ନ ବୃହତ୍ ଉଦ୍ୟୋଗ ଭାବେ ନାଲ୍‌କୋ ଓଡ଼ିଶାର ଏମ୍ଏସ୍ଏମ୍ଇ ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ଏକ କ୍ୟାସ୍‌ଲେସ୍‌ ମଡେଲ ପ୍ରଣୟନ କରିବ। ସେମାନଙ୍କ ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ଏକ ବ୍ରାଣ୍ଡ୍ ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିବ ବୋଲି ସେ କହିଥିଲେ।

ଏହି ଆଲୋଚନାଚକ୍ରରେ ନାବାର୍ଡର ସିଜିଏମ୍ ଡକ୍ଟର କେ.ସି. ପାଣିଗ୍ରାହୀ, ତ୍ରିଭୂବନ ବିଶ୍ୱବିଦ୍ୟାଳୟ, ନେପାଳର ପ୍ରଫେସର୍ ଆର୍ ଏସ୍ ପ୍ରଧାନ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ଏସ୍ ଏମ୍ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here