ଓଡ଼ିଶାଲାଇଭ୍ ବ୍ୟୁରୋ
“କୃଷି କ୍ଷେତ୍ରରେ ଓଡିଶାକୁ ଅଧିକ ସ୍ୱାବଲମ୍ବି କରିବା ଏବଂ ଆଧୁନିକ ପ୍ରଯୁକ୍ତି କୌଶଳ ଚାଷୀଙ୍କୁ ଯୋଗାଇବା ଲାଗି ଆସନ୍ତା ବର୍ଷ ଭୁବନେଶ୍ୱରରେ ଏକ ଏଗ୍ରିକଲଚର ଇନକ୍ୟୁବେସନ ସେଣ୍ଟର ପ୍ରତିଷ୍ଠା କରାଯିବ। ଏହାଛଡ଼ା କେନ୍ଦ୍ର ସରକାର ଦେଶର ଭାଗ ଚାଷୀମାନଙ୍କ କଲ୍ୟାଣ ପାଇଁ ଲୋନ ଏଲିଜିବିଲିଟି ସାର୍ଟିଫିକେସନ ନିର୍ଦ୍ଦେଶାବଳୀ ଆଗାମୀ ଦୁଇ-ତିନି ମାସରେ ଆଣିବାକୁ ଯାଉଛନ୍ତି”, କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶନିବାର ଭୁବନେଶ୍ୱରଠାରେ ଦୁଇଦିନିଆ ଏଗ୍ରି ବିକାଶ କନକ୍ଲେଭ ୨୦୧୮ ସମ୍ମିଳନୀର ଉଦଯାପନୀ ସମାରୋହରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଭାଗ ଚାଷୀମାନଙ୍କୁ ପ୍ରସ୍ତାବିତ ନିୟମାବଳୀ ଅନୁସାରେ ଫସଲ କ୍ଷତିର ଭରଣା ମିଳିବା ସହଜ ହେବ। ଇ-ନାମ ସହିତ ଆସନ୍ତା ବର୍ଷକ ମଧ୍ୟରେ ରାଜ୍ୟର ୫୭ଟି ଉପଖଣ୍ଡରେ ଥିବା ସବୁ ମଣ୍ଡିକୁ ଯୋଡ଼ିବା ଲାଗି କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଏଥିଲାଗି ସେ ଓଡିଶା ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି।
ଏବେ ଭାରତ ୭ ଲକ୍ଷ କୋଟି ଟଙ୍କାର ଅଶୋଧିତ ତୈଳ ଓ ପେଟ୍ରୋଲିୟମଜାତ ସାମଗ୍ରୀ ବିଦେଶରୁ ଆମଦାନୀ କରୁଛି। ଏହାକୁ ୧୦ ପ୍ରତିଶତ କମାଇ ବୈଦେଶିକ ମୁଦ୍ରା ସଂଚୟ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଦେଶରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଟନ ପାଳ, ନଡ଼ା, ଛଣ ଓ କୃଷି ବର୍ଜ୍ୟ ବାହାରୁଛି। ଅମଳ ପରେ ଏସବୁ କୃଷି ବର୍ଜ୍ୟର ଉପଯୋଗ କରି ବହୁଳ ପରିମାଣରେ ଇଥାନଲ ତଥା ଜୈବ ଇନ୍ଧନ ଉତ୍ପାଦନ କରାଯାଇପାରିବ। ବିଶେଷକରି ଓଡ଼ିଶାରେ ବର୍ତ୍ତମାନର କୃଷି ଉତ୍ପାଦନକୁ ଦେଖିଲେ ପ୍ରାୟ ୩୦ ହଜାର ମେଟ୍ରିକ ଟନ୍ ଇଥାନଲ ଉତ୍ପାଦଦନ ହୋଇପାରିବ। ସେହିପରି ସମବାୟ ଚିନି କଳଗୁଡିକ ଯେତେ ଇଥାନଲ ପ୍ରସ୍ତୁତ କରିବେ ତାହା ରାଷ୍ଟ୍ରାୟତ ତୈଳ କମ୍ପାନୀମାନେ କିଣି ନେବେ। ଏହାଦ୍ୱାରା ଓଡ଼ିଶାର ଆଖୁ ଚାଷୀ ଓ ଚିନି କଳ ଉଭୟେ ଲାଭବାନ ହେବେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଚାଷୀଙ୍କ ଆୟ ଦୁଇଗୁଣ କରାଯିବା ପ୍ରସଙ୍ଗ ଉପରେ ଅଧିକ ସୂଚନା ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ, ଓଡ଼ିଶାରୁ ପ୍ରତିବର୍ଷ ବିପୁଳ ପରିମାଣର ଚାଉଳ ଉତ୍ପାଦନ ହେଉଛି। ବିଶେଷକରି ଚୀନ ଏବେ ଅଣ-ବାସୁମତି ଚାଉଳ ନେବା ଲାଗି ଘୋଷଣା କରିଥିବାରୁ ଓଡ଼ିଶାରୁ ଏହି କିସମର ଚାଉଳ ଅଧିକ ରପ୍ତାନୀ କରାଯାଇପାରିବ ଏବଂ ଚାଷୀଙ୍କୁ ମଧ୍ୟ ବେଶ ଲାଭ ମିଳିବ।
ସମାରୋହରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ ସଚିବ ଜଗଦିଶ ପ୍ରସାଦ ମୀନା ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସଚିବ ଶୋଭନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।

















