ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଯାତ୍ରା ଦୁନିଆର ଜଣେ ସଫଳ ଅଭିନେତା ତଥା ନିର୍ଦ୍ଦେଶକ ହେଲେ ରାଇମୋହନ ପରିଡ଼ା ଆସନ୍ତୁ ଜାଣିବା ତାଙ୍କର ଯଲିଉଡ ଯାତ୍ରା ବିଷୟରେ

ଚଳଚ୍ଚିତ୍ର ଜଗତରୁ ଅନେକ କଳାକାର ଯାତ୍ରା ଦୁନିଆରେ ଏଣ୍ଟ୍ରି ନେଇଛନ୍ତି। କିଛି ଚଳଚ୍ଚିତ୍ର କଳାକାର ଯଲିଉଡରେ ଅଭିନେତା ଭାବେ ନୁହେଁ, ବରଂ ନିର୍ଦ୍ଦେଶକ ହିସାବରେ ଯୋଗ ଦେଇଛନ୍ତି। ଏଭଳି କଳାକାରମାନଙ୍କ ଭିତରୁ ଜଣେ ହେଲେ ଆଜିକାର ପ୍ରଖ୍ୟାତ ଓଲିଉଡ ଅଭିନେତା ତଥା ଯଲିଉଡର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ରାଇମୋହନ ପରିଡ଼ା।

ଓଲିଉଡର ସୋ’ ମ୍ୟାନ୍ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଓଡ଼ିଆ ଛବି ‘ପକା କମ୍ବଳ ପୋତ ଛତା’ରେ ପ୍ରଥମେ ଅଭିନୟ କରିବାର ସୁଯୋଗ ପାଇଥିଲେ ରାଇମୋହନ। ୧୯୮୬ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମରେ ତାଙ୍କୁ ମିଳିଥିଲା ଏକ ଖଳନାୟକର ଭୂମିକା।

‘ପକା କମ୍ବଳ ପୋତ ଛତା’ର ସୁଟିଂ ଆରମ୍ଭ ହେବା ଆଗରୁ ରାଇମୋହନଙ୍କୁ ଯାତ୍ରା ନାଟକରେ ନିର୍ଦ୍ଦେଶନା ଦେବା ଲାଗି ଅଫର୍ ମିଳିଥିଲା। ସେ ଏହାକୁ ଚାଲେଞ୍ଜ ଭାବେ ଗ୍ରହଣ କରି ତାରିଣୀ ଗଣନାଟ୍ୟର ଏହି ଅଫରକୁ ସ୍ୱୀକାର କରନ୍ତି। ରାଇମୋହନଙ୍କ ନିର୍ଦ୍ଦେଶିତ ପ୍ରଥମ ନାଟକ ହେଲା ‘ଭଙ୍ଗା ଆଇନା’। ଏହାର ନାଟ୍ୟକାର ଥିଲେ ଲୋକପ୍ରିୟ ଲେଖକ ଚିନ୍ମୟ ଦାସ।

ରାଇମୋହନଙ୍କର ପ୍ରଥମ ନାଟକ ‘ଭଙ୍ଗା ଆଇନା’ ସୁପରହିଟ୍ ହେଲା। ତା’ପରେ ସେ କ୍ରମାଗତ ଭାବେ ନାଟକ ନିର୍ଦ୍ଦେଶନା ଦେବାରେ ଲାଗିଥିଲେ।

ଯଲିଉଡର ଏହି ସଫଳ ନିର୍ଦ୍ଦେଶକ ରାଇମୋହନ ଇତିମଧ୍ୟରେ ତାରିଣୀ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ରୁଦ୍ରାଣୀ ଗଣନାଟ୍ୟ, ଜଗନ୍ନାଥ ଗଣନାଟ୍ୟ, ଶୁଭଶ୍ରୀ ଗଣନାଟ୍ୟ, ନିର୍ମାଲ୍ୟ ଗଣନାଟ୍ୟ, ଓଡ଼ିଶା ଅପେରା, ଧରିତ୍ରୀ ଅପେରା, ଶ୍ରୀକ୍ଷେତ୍ର ଗଣନାଟ୍ୟ ଓ ଗୌରୀ ଗଣନାଟ୍ୟ ଆଦିରେ ମଞ୍ଚସ୍ଥ ବିଭିନ୍ନ ନାଟକର ନିର୍ଦ୍ଦେଶନା ଦେଇଛନ୍ତି। ତେବେ ପରବର୍ତ୍ତୀ ସମୟରେ ରାଇମୋହନ ଯାତ୍ରାରେ ନିର୍ଦ୍ଦେଶନା ସାଙ୍ଗକୁ ଅଭିନୟରେ ବି ସକ୍ରିୟ ହେଲେ।

ଓଲିଉଡରେ ସେତେବେଳକୁ ରାଇମୋହନ ଜଣେ ଖଳନାୟକ ଭାବେ ପ୍ରତିଷ୍ଠା ଅର୍ଜନ କରିସାରିଲେଣି। ତାଙ୍କ ଅଭିନୀତ କେତେକ ଚଳଚ୍ଚିତ୍ର ବେଶ୍ ଲୋକପ୍ରିୟ ହୋଇସାରିଥାଏ। ଯାତ୍ରାରେ ନିର୍ଦ୍ଦେଶନା ଦେବା ସହ ଓଡ଼ିଆ ସିନେମାରେ ଅଭିନୟ ମଧ୍ୟ କରୁଥାନ୍ତି ରାଇମୋହନ। ସିନେଦର୍ଶକଙ୍କ ଭଳି ରାଇମୋହନଙ୍କ ଅଭିନୟ ଯାତ୍ରାଦର୍ଶକଙ୍କର ମଧ୍ୟ ଖୁବ୍‌ ପସନ୍ଦ ଆସିଥିଲା। ଏଣୁ ସେ ଅଭିନେତା ଭାବେ ଅଧିକ ସକ୍ରିୟ ହୋଇଥିଲେ।

ରାଇମୋହନ ଦାବି କରନ୍ତି ଯେ ସେ ହେଉଛନ୍ତି ଏକମାତ୍ର କଳାକାର ଯିଏ ସିନେମା, ଟେଲିଭିଜନ ଓ ଯାତ୍ରା ସବୁଠି ବୃତ୍ତିଗତ ଭାବେ କାର୍ଯ୍ୟ କରି ସଫଳତା ହାସଲ କରିଛନ୍ତି। ସବୁ ଚଳଚ୍ଚିତ୍ର ଅଭିନେତା ଯେ ଯାତ୍ରା ନିର୍ଦ୍ଦେଶକ ହୋଇପାରିବେ, ଏକଥାକୁ ବିଶ୍ୱାସ କରନ୍ତି ନାହିଁ ସେ। ତାଙ୍କ ମତରେ ନାଟ୍ୟକାର ହେଲେ ଫୁଲ ବଗିଚା ଓ ନିର୍ଦ୍ଦେଶକ ହେଉଛନ୍ତି କଳା ଭଅଁର। ଯାତ୍ରାରେ ଅଭିନୟ କରି ଯଲିଉଡ ଦର୍ଶକଙ୍କ ମନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାକୁ ଚାହାନ୍ତି ରାଇମୋହନ।

Comment