ଓଡ଼ିଶାଲାଇଭ୍‌ ବ୍ୟୁରୋ

୭ ଘଣ୍ଟା ପରେ ଇଡି ଅଫିସରୁ ବାହାରିଛନ୍ତି ଶ୍ରୀତମ ଦାସ। ପାରିଶ୍ରମିକ ବାବଦରେ ଯେଉଁ ଟଙ୍କା ପାଇଛନ୍ତି ତାହା ଫେରାଇ ଦେବେ ବୋଲି କହିଛନ୍ତି ଶ୍ରୀତମ।

ଓଲିଉଡ ଅଭିନେତା ଶ୍ରୀତମ ଦାସଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୭ ଘଣ୍ଟା ଧରି ମାରାଥନ ଜେରା କରିଛି। ଷ୍ଟାର କନସଲଟାନ୍ସି ବ୍ୟାନରରେ ନିର୍ମିତ ଫିଲ୍ମ ‘ତୁ ଥା ମୁଁ ଯାଉଛି ରୁଷି’ରେ କେତେଟଙ୍କା ଲାଗିଥିଲା? କାହା ପାଖକୁ ଟଙ୍କା ଯାଇଥିଲା?  ଫିଲ୍ମ କଳାକାରଙ୍କୁ କେତେ ଟଙ୍କା ଦିଆଯାଇଛି? ଫରେନ ଟ୍ରିପ୍ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି? ଏସବୁ ପ୍ରଶ୍ନ ଶ୍ରୀତମଙ୍କୁ ଇଡି ଅଧିକାରୀ ପଚାରିଥିଲେ।

ଏହି ଫିଲ୍ମରେ ଚିଟଫଣ୍ଡ ଟଙ୍କା ଲାଗିଥିବା ଅଭିଯୋଗ ହୋଇଥିଲା।  ଫିଲ୍ମ ପ୍ରଯୋଜକ ତ୍ରିବେଣୀ ମହାନ୍ତି ଫେରାର ଥିବାରୁ ଶ୍ରୀତମ ଆଜି ଜେରାର ସମ୍ମୁଖୀନ ହୋଇଥିଲେ। ଶ୍ରୀତମ ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଅଭିନୟ ମଧ୍ୟ କରିଥିଲେ।

ଜେରା ପରେ ଶ୍ରୀତମ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ତୁ ଥା ମୁଁ ଯାଉଛି ରୁଷି ଫିଲ୍ମରେ ଚିଟଫଣ୍ଡ ଟଙ୍କା ଲାଗିଥିବା ମୁଁ ଜାଣି ନଥିଲି। ପ୍ରଥମେ ପ୍ରଯୋଜକ ଗିରଫ ହେଲେ ଏବଂ ବେଲ୍‌ରେ ଆସିଲେ। ତାପରଠୁ ସେ ଫେରାର ଅଛନ୍ତି। ମୋ ପାରିଶ୍ରମିକ ବାବଦରେ ମୁଁ ଯେଉଁ ଟଙ୍କା ପାଇଛି ତାହାକୁ ଫେରାଇଦେବି।”

ଶ୍ରୀତମ ଏହି ଫିଲ୍ମର ନିର୍ଦ୍ଦେଶକ ଥିବାରୁ ଇଡି ଅଫିସରେ ହାଜର ହେବା ପାଇଁ ସମନ ହୋଇଥିଲା। ସମନ ପାଇ ଶ୍ରୀତମ ଇଡି ଅଫିସକୁ ଯାଇଥିଲେ।

Comment