ଓଡ଼ିଶାଲାଇଭ୍ ବ୍ୟୁରୋ

ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟରୁ ମିଳିଛି ଆଶ୍ଵସ୍ତି। ଏହି ମାମଲାରେ ତାଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦିଆଯାଇଛି। ଚଳିତ ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ଜାମିନ ଦେବା ଲାଗି ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ଶୁକ୍ରବାର ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ। କେଜ୍ରିୱାଲଙ୍କ ପକ୍ଷରୁ ମୋକଦ୍ଦମା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘବୀ ତାଙ୍କ ଅନ୍ତରୀଣ ଜାମିନ ପାଇଁ କୋର୍ଟରେ ଯୁକ୍ତି ବାଢ଼ି ଥିଲେ।

ଅନ୍ୟପଟେ ଇଡି ପକ୍ଷରୁ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ ବିରୋଧ କରାଯାଇଥିଲା। ହେଲେ ସୁପ୍ରିମକୋର୍ଟ ଏହାକୁ ଆଗ୍ରହ୍ୟ କରି ତାଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ତେବେ ଜାମିନ ଅବଧି ସରିବା ପରେ ଜୁନ ୨ ତାରିଖରେ ସେ ଆତ୍ମସମର୍ପଣ କରି ଜେଲ ଯିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ଅବଧି ମଧ୍ୟରେ କେଜ୍ରିୱାଲଙ୍କୁ ଦିଲ୍ଲୀ ବିଧାନସଭା ଓ ସଚିବାଳୟ ଯିବାକୁ ବାରଣ କରାଯାଇଛି।

ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲଙ୍କ ମାମଲା ସହ ଜଡ଼ିତ ସବୁ ତଥ୍ୟ ଓ ପ୍ରମାଣକୁ ସୁପ୍ରିମକୋର୍ଟରେ ଇଡି ପକ୍ଷରୁ ଦାଖଲ କରାଯାଇଛି। ପୂର୍ବ ଶୁଣାଣି ବେଳେ ଏହି ମାମଲାରେ ଇଡିର ମନ୍ଥର ଗତିକୁ ନେଇ ସୁପ୍ରିମକୋର୍ଟ ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ତାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଆବେଦନ କରିଥିଲେ ଅରବିନ୍ଦ କେଜ୍ରିୱାଲ। ଏପ୍ରିଲ ୯ ତାରିଖରେ ଏହି ଆବେଦନକୁ ଖାରଜ କରିବା ସହ କେଜ୍ରିୱାଲଙ୍କ ଗିରଫଦାରୀ ବୈଧ ବୋଲି ଦିଲ୍ଲୀ ହାଇକୋର୍ଟ ନିଜ ରାୟ ଶୁଣାଇଥିଲେ। ଏହାର ବିରୋଧରେ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖ ରାତିରେ ଇଡି ପକ୍ଷରୁ ଗିରଫ କରାଯାଇଥିଲା। ଏହାପରେ ଇଡି ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ନ୍ୟାୟିକ ହେଫାଜତକୁ ପଠାଇଥିଲେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ସାମିଲ ରହିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଇଡି ତାଙ୍କୁ ପଚରାଉଚରା ପାଇଁ ୯ ଥର ସମନ କରିଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ଯାଞ୍ଚରେ ସେ ସହଯୋଗ କରୁନଥିବା ଇଡି ପକ୍ଷରୁ କୁହାଯାଇଥିଲା।  

Tags: #ArvindKejriwal #CMofDelhi #LiquorScam #SupremeCourt #ED #NewDelhi

LEAVE A REPLY

Please enter your comment!
Please enter your name here