ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟକା ଲାଗିଛି। ଅବକାରୀ ଦୁର୍ନୀତି ମାମଲାରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଛି। ଏହାସହ ତାଙ୍କର ନ୍ୟାୟିକ ହେପାଜତକୁ ଜୁନ୍ ୧୯ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଅରବିନ୍ଦ କେଜ୍ରିୱାଲ ଡାକ୍ତରୀଯାଞ୍ଚ ପାଇଁ ୭ ଦିନର ଜାମିନ ଆବେଦନ କରିଥିଲେ। ହେଲେ ରାଉଜ୍ ଆଭେନ୍ୟୁ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଏହାସହ ମଦ ବ୍ୟବସାୟରେ ନିବେଶ କରିବାକୁ ପାଇଁ ପଞ୍ଜାବର ଅନେକ ବ୍ୟବସାୟୀଙ୍କଠୁ ଲାଞ୍ଚ ନେବା ଅଭିଯୋଗରେ ତାଙ୍କ ବିରୋଧରେ ତଦନ୍ତ ପାଇଁ ଇଡିକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲ ଏବେ ତିହାଡ ଜେଲରେ ଥିବାବେଳେ ତାଙ୍କର ନ୍ୟାୟିକ ହେପାଜତକୁ ଜୁନ୍ ୧୯ ତାରିଖ ଯାଏଁ ବଢ଼ାଯାଇଛି। ଜୁନ ୨ ତାରିଖରେ ତାଙ୍କର ପୂର୍ବ ଜାମିନ ଅବଧି ସରିବାପରେ ସେ ଜେଲ ଯାଇଥିଲେ।

ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖ ରାତିରେ ଇଡି ପକ୍ଷରୁ ଗିରଫ କରାଯାଇଥିଲା। ଏହାପରେ ଇଡି ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ନ୍ୟାୟିକ ହେଫାଜତକୁ ପଠାଇଥିଲେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ସାମିଲ ଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଇଡି ତାଙ୍କୁ ପଚରାଉଚରା ପାଇଁ ୯ ଥର ସମନ କରିଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ଯାଞ୍ଚରେ ସେ ସହଯୋଗ କରୁନଥିବା ଇଡି ପକ୍ଷରୁ କୁହାଯାଇଥିଲା।

Tags: #ArvindKejriwal #CMofDelhi #LiquorScam #SupremeCourt #ED #NewDelhi

Comment