ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ଫୁଟ୍ବଲ ବିଶ୍ୱକପ୍ର କ୍ୱାର୍ଟରଫାଇନାଲ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି। ପ୍ରଥମ ମୁକାବିଲା ଦୁଇ ପୂର୍ବତନ ଚମ୍ପିଆନ୍ ଫ୍ରାନ୍ସ ଓ ଉରୁଗୁଏ ମଧ୍ୟରେ ମୁକାବିଲା ହେବ।
ଫିଫା ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲରେ ନିଝ୍ନିରେ ଦୁଇଥର ବିଜେତା ଉରୁଗୁଏ ସହ ୧୯୯୮ ବିଜେତା ଫ୍ରାନ୍ସର ମୁକାବିଲା ହେବ। ଉଭୟ ଦଳ ଚମତ୍କାର ଫର୍ମରେ ଥିଲା ବେଳେ ଆର୍ଜେଣ୍ଟିନା ଏବଂ ପର୍ତୁଗାଲ ଭଳି ଶକ୍ତିଶାଳୀ ଦଳକୁ ହରାଇ କ୍ୱାର୍ଟର ଫାଇନାଲ୍ ଆସିଛନ୍ତି।
ଏଣୁ ମ୍ୟାଚ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଆଣ୍ଟୋଏନ୍ ଗ୍ରିଜ୍ମ୍ୟାନ୍, ପଲ୍ ପୋଗ୍ବା ଓ କିଲିଆନ୍ ଏମ୍ବାପେଙ୍କ ପରି ଖେଳାଳିଙ୍କୁ ନେଇ ଆକ୍ରମଣାତ୍ମକ ଫ୍ରାନ୍ସ ଦଳ ଏବଂ ଏଡିନ୍ସନ କାଭାନି, ଡିଏଗୋ ଗୋଡିନ୍ ଓ ଲୁଇ ସ୍ୱାରେଜ୍ଙ୍କୁ ନେଇ ଗଠିତ ଲଢ଼ୁଆ ଉରୁଗୁଏ ଦଳ ମଧ୍ୟରେ ଏହି ମୁକାବିଲା ହେବ। ଏହି ମ୍ୟାଚ୍ର ବିଜେତା ସେମିଫାଇନାଲରେ ବ୍ରାଜିଲ କିମ୍ବା ବେଲ୍ଜିୟମ୍ର ମୁକାବିଲା କରିବ।
୧୯୯୮ର ଚମ୍ପିଆନ୍ ଦଳ ଫ୍ରାନ୍ସ ଲିଗ୍ ସ୍ତରରେ ସେପରି ଭଲ ପ୍ରଭାବଶାଳୀ ପ୍ରଦର୍ଶନ କରି ପାରିନଥିଲା। ଅଷ୍ଟ୍ରେଲିଆକୁ ୨-୧ରେ, ପେରୁକୁ ୧-୦ରେ ଫ୍ରାନ୍ସ ପରାସ୍ତ କରିଥିବା ବେଳେ ଡେନ୍ମାର୍କ ସହ ଏହାର ମ୍ୟାଚ୍ ଗୋଲ୍ଶୂନ୍ୟ ରହିଥିଲା। ତେବେ ପ୍ରିକ୍ୱାର୍ଟରଫାଇନାଲ ମୁକାବିଲାରେ ଗତଥରର ରନର୍ସଅପ୍ ଆର୍ଜେଣ୍ଟିନାକୁ ୪-୩ ଗୋଲ୍ରେ ହରାଇବା ପରେ ହଠାତ୍ ଫୁଟ୍ବଲପ୍ରେମୀ ଫ୍ରାନ୍ସକୁ ଅନ୍ୟତମ ଫେଭରିଟ୍ ଭାବେ ଧରି ନେଇଛନ୍ତି।
୧୯ ବର୍ଷ ବୟସ୍କ କିଲିୟାନ୍ ଏମ୍ବାପେ ଅଦ୍ୟାବଧି ଫ୍ରାନ୍ସ ପାଇଁ ୩ଟି ଗୋଲ୍ ସ୍କୋର୍ କରିଛନ୍ତି। ସେଥିରୁ ୨ଟି ଗୋଲ୍ ସେ ଆର୍ଜେଣ୍ଟିନା ବିରୋଧରେ ସ୍କୋର୍ କରିଥିଲେ। ଆଣ୍ଟୋଏନି ଗ୍ରିଜ୍ମ୍ୟାନ୍ ୨ଟି ଗୋଲ୍ ଦେଇଥିବା ବେଳେ ଉଭୟ ଗୋଲ୍ ପେନାଲ୍ଟିରୁ ସେ ଦେଇଥିଲେ। ବ୍ଲେଜ୍ ମାଟ୍ୱିଡି, ପଲ୍ ପୋଗ୍ବା ଓ ଏନ୍ଗୋଲୋ କାଣ୍ଟେ ଫ୍ରାନ୍ସ ମିଡ୍ଫିଲ୍ଡରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।
ଅଲିଭର ଜିରୌଡ୍ ମଧ୍ୟ ଭଲ ଖେଳୁଛନ୍ତି। ଆର୍ଜେଣ୍ଟିନା ବିରୋଧରେ ଫ୍ରାନ୍ସ ୪ଟି ଗୋଲ୍ ସ୍କୋର୍ କରିଥିଲେ ହେଁ ଉରୁଗୁଏ ବିପକ୍ଷରେ ଏହା ସହଜ ହେବନାହିଁ। ଅଧିନାୟକ ଡିଏଗୋ ଗୋଡିନ୍ଙ୍କ ସହ ଜୋସ୍ ଗିମିନେଜ ଉରୁଗୁଏ ରକ୍ଷାପନ୍ଥୀରେ ପ୍ରାଚୀର ପରି ଛିଡ଼ା ହୋଇଛନ୍ତି। ଲିଗ୍ ପର୍ଯ୍ୟାୟରେ ଉରୁଗୁଏ ୩ଟିଯାକ ମ୍ୟାଚ୍ ଜିତିଥିଲା। ଏହା ୫ଟି ଗୋଲ୍ ଦେଇଥିବା ବେଳେ ଗୋଟିଏ ବି ଗୋଲ୍ ବରଣ କରିନଥିଲା।
ପରିସଂଖ୍ୟାନ ଦୃଷ୍ଟିରୁ କିନ୍ତୁ ବିଶ୍ୱକପରେ ଫ୍ରାନ୍ସ ଉରୁଗୁଏଠାରୁ ଯଥେଷ୍ଟ ଆଗରେ ରହିଛି। ବିଶ୍ୱକପରେ ଉଭୟ ଦଳ ୯ ଥର ମୁହାଁମୁହିଁ ହୋଇଥିଲା ବେଳେ ସବୁଥର ଫ୍ରାନ୍ସ ବିଜୟର ସ୍ୱାଦ ଚାଖିଛି। ସେହିଭଳି ଫ୍ରାନ୍ସ ଗତ ୬ କ୍ୱାର୍ଟର ଫାଇନାଲ୍ ପଦାର୍ପଣରେ କେବେବି ହାରି ନାହିଁ। ଉରୁଗୁଏ ପାଖରେ କିନ୍ତୁ ଶୁକ୍ରବାର ଏକାଧିକ କୀର୍ତ୍ତିମାନ କରିବାର ସୁଯୋଗ ରହିବ। ଆସନ୍ତାକାଲି ବିଜୟୀ ହେଲେ ଏହି ଦଳ ପ୍ରଥମ ଥର ପାଇଁ ବିଶ୍ୱକପରେ ଲଗାତାର ପାଞ୍ଚଟି ବିଜୟ ହାସଲ କରିବ। ଏହି ମ୍ୟାଚ୍ରେ ବହୁ ଖେଳାଳି ନିଜ କ୍ଲବ୍ ସ୍ତରୀୟ ସାଥୀଙ୍କ ବିପକ୍ଷରେ ଖେଳିବେ।














