ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ପରିଚାଳନା ଅବ୍ୟବସ୍ଥା ମାମଲାରେ ଜିଲ୍ଲା ଜଜ୍ ଯେଉଁ ସୁପାରିସ କରିଛନ୍ତି, ତାହା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାପାଇଁ ସୁପ୍ରିମକୋର୍ଟ ମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି।
ପୁରୀ ଶ୍ରୀମନ୍ଦିରରେ ସେବାୟତଙ୍କ ଆଚରଣ କେମିତି? ଭକ୍ତ ଦେଉଥିବା ଦାନ ହୁଣ୍ଡିକୁ ଯାଉଛି ନା ଅନ୍ୟ କୁଆଡ଼େ ଯାଉଛି? ଭକ୍ତଙ୍କ ସୁରକ୍ଷା ପାଇଁ କି ପ୍ରକାର ବ୍ୟବସ୍ଥା ହୋଇଛି? ଏ ସବୁକୁ ଗୋଟି ଗୋଟି ଅନୁଧ୍ୟାନ କରି ପୁରୀ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟକୁ ବିଚାରକୁ ନେଇଛନ୍ତି ସୁପ୍ରିମକୋର୍ଟ।
ଶ୍ରୀମନ୍ଦିର ପରିଚାଳନା ଅବ୍ୟବସ୍ଥା ମାମଲାରେ ଜିଲ୍ଲା ଜଜ୍ ଯେଉଁ ସୁପାରିସ କରିଛନ୍ତି, ତାହା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାପାଇଁ ସୁପ୍ରିମକୋର୍ଟ ମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି।
ତା’ସହ ଭକ୍ତଙ୍କ ଅବଗତି ପାଇଁ ଏହାକୁ ମନ୍ଦିର ୱେବସାଇଟ୍ରେ ଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜିଲ୍ଲା ଜଜ୍ଙ୍କ ପ୍ରସ୍ତାବ ଉପରେ କୌଣସି ଆପତ୍ତି ଥିଲେ ସୁପ୍ରିମକୋର୍ଟଙ୍କୁ ଜଣାଇବାକୁ କୁହାଯାଇଛି।
ଶ୍ରୀମନ୍ଦିର ଗସ୍ତବେଳେ ଏହି ମାମଲାରେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକ୍ୟୁସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ସମସ୍ତ ପକ୍ଷଙ୍କ ସହ ଏସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପରାମର୍ଶ ଦେଇଛନ୍ତି।
ସେହିପରି ଶ୍ରୀମନ୍ଦିର ପରିଚାଳନାରେ ସୁଧାର ଓ ସଂସ୍କାର ଅଣାଯିବା, ନିର୍ବିଘ୍ନରେ ଶ୍ରୀଜୀଉ ଦର୍ଶନ, ମନ୍ଦିର ପରିସରରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ଏକ ସୁସ୍ଥ ବାତାବରଣ ଗଠନ, ଜୋରଜବରଦସ୍ତ ଦାନଦକ୍ଷିଣା ଆଦାୟ ବ୍ୟବସ୍ଥାକୁ ବନ୍ଦ କରିବା ତଥା ସେବାୟତଙ୍କ ସ୍ୱାର୍ଥକୁ ସୁରକ୍ଷା କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରି ସୁପ୍ରିମକୋର୍ଟଙ୍କୁ ଜଣାଇବେ ବୋଲି ଆଡଭୋକେଟ ସୁବ୍ରମଣ୍ୟମ ପ୍ରସ୍ତାବ ଦେଇଥିଲେ।
ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବାରୁ ତାଙ୍କ ପୁରୀ ଗସ୍ତ ବିଳମ୍ବ ହେଉଥିବା ଦର୍ଶାଇ ଖୁବ୍ଶୀଘ୍ର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଏକ ବିସ୍ତୃତ ରିପୋର୍ଟ ଦେବେ ବୋଲି ସେ କହିଥିଲେ। ବିଭିନ୍ନ ସମୟରେ ଶ୍ରୀମନ୍ଦିର ପରିଚାଳନା ଏବଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଉପଲବ୍ଧ ତତ୍କାଳୀନ ରାଜ୍ୟପାଳ ବି ଡି ଶର୍ମା, ଅବସରପ୍ରାପ୍ତ ବିଚାରପତି ବି ପାତ୍ର, ଅବସରପ୍ରାପ୍ତ ବିଚାରପତି ପି କେ ମହାନ୍ତି, ଅବସରପ୍ରାପ୍ତ ବିଚାରପତି ବି ପି ଦାସଙ୍କ କମିଶନଙ୍କ ରିପୋର୍ଟ ସମେତ ପୁରୀ ଜିଲା ଦୌରାଜଜ୍ଙ୍କ ରିପୋର୍ଟକୁ ଅନୁଧ୍ୟାନ କରୁଛନ୍ତି ବୋଲି ଗୋପାଳ ସୁବ୍ରମଣ୍ୟମ କୋର୍ଟଙ୍କୁ ଜଣାଇଥିଲେ।
ଏସବୁ ପ୍ରସ୍ତାବ ଉପରେ ରଥଯାତ୍ରା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ପୁରୀ ଗସ୍ତ କରି ସବୁ ପକ୍ଷଙ୍କ ସହ ବୈଠକ କରି କୋର୍ଟଙ୍କୁ ଜଣାଇବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
କ’ଣ ସୁପାରିସ କରିଛନ୍ତି ଜିଲ୍ଲା ଜଜ୍
- ପିଢ଼ିଗତ ସେବା ପଦ୍ଧତି ରଦ୍ଦ କରି ସେବାୟତ ନିଯୁକ୍ତି କରାଯାଉ
- ଶ୍ରୀମନ୍ଦିରରେ ସେବକଙ୍କ ଦ୍ଵାରା ଅନ୍ନଦାନ ଆଟିକା ଏବଂ ଥାଳି ପକାଇ ଅର୍ଧ ଆଦାୟ କରାଯାଉ
- ରୋଷଘର ଓ ଚୁଲ୍ଲାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରଶାସନ ହାତରେ ରହୁ
- ପୁରୁଷ, ମହିଳା, ସେବକଙ୍କ ପାଇଁ ପୃଥକ୍ ଶୌଚାଳୟର ବ୍ୟବସ୍ଥା ହେଉ
- ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା ଲାଗୁ କରାଯାଉ
- ଆକାଉଣ୍ଟାଣ୍ଟ ଜେନେରାଲଙ୍କ ଦ୍ୱାରା ମନ୍ଦିର ପାଣ୍ଠିର ଅଡିଟ କରାଯାଉ
- ସେବକ, କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ପତ୍ରର ବ୍ୟବସ୍ଥା ହେଉ
- ମନ୍ଦିର କାର୍ଯ୍ୟାଳୟରେ ଗାଇଡମାନଙ୍କୁ ପଞ୍ଜୀକୃତ କରାଯାଉ
- ମନ୍ଦିର ପ୍ରଶାସନରୁ ଅତିରିକ୍ତ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଉ
- ସୁରକ୍ଷାର ପରିଚାଳନା ପାଇଁ ଏକକ କର୍ତ୍ତୃପକ୍ଷଙ୍କ ବ୍ୟବସ୍ଥା ହେଉ
- ଶ୍ରୀମନ୍ଦିର ଆଇନ, ୧୯୫୪ର ସଂଶୋଧନ କରାଯାଉ














