ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାଇବାର ଯେଉଁ ବାଧ୍ୟତାମୂଳକ ବ୍ୟବସ୍ଥା ରହିଛି ତାହାକୁ ପରିବର୍ତ୍ତନ କରାଯାଇପାରେ। ଭକ୍ତମାନେ ଯେପରି ମହାପ୍ରଭୁଙ୍କୁ ସୁବିଧାରେ ଦର୍ଶନ କରିପାରିବେ ସେନେଇ ରବିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି।

ଜାନୁଆରି ୩ ତାରିଖରୁ ସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିଥିବା ବେଳେ ରବିବାର ଏହାକୁ ସପ୍ତାହେ ପୁରିଛି। ତେବେ ପୂର୍ବ ପୂର୍ବ ନିଷ୍ପତ୍ତି ମୁତାବକ ସପ୍ତାହକର ଦର୍ଶନ ବ୍ୟବସ୍ଥା ଦେଖିବା ପରେ ଆଗାମୀ ଦିନମାନଙ୍କରେ ଭକ୍ତମାନେ କିପରି ସହଜ ଏବଂ ସୁବିଧାରେ ଦର୍ଶନ କରିପାରିବେ ସେନେଇ ବ୍ୟବସ୍ଥା କରାଯିବ। ସେଥିପାଇଁ ରବିବାର ମଧ୍ୟାହ୍ନରେ ଏହି ବ୍ୟବସ୍ଥାର ସମୀକ୍ଷା ପାଇଁ ବୈଠକ ଡକାଯାଇଛି।ଏହି ବୈଠକରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସହ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବି ଯୋଗଦେବେ। ଗତ ସାତଦିନର ଦର୍ଶନ ବ୍ୟବସ୍ଥା କେମିତି ଥିଲା, ଆଉ ଏବେ ଏଥିରେ କ’ଣ ପରିବର୍ତ୍ତନ ଅଣାଯାଇ ପାରିବ, ସେ ଉପରେ ମତ ସଂଗ୍ରହ କରାଯିବ। ତେବେ ମନ୍ଦିରକୁ ପ୍ରବେଶ ପାଇଁ କୋଭିଡ ନେଗେରିଭ୍ ରିପୋର୍ଟ ବାଧ୍ୟତାମୂଳକ କଟକଣାକୁ ନେଇ ଭକ୍ତମହଲରେ ଅସନ୍ତୋଷ ଦେଖାଦେଇଛି। ସାଧାରଣ ଲୋକମାନେ ଏହି ବ୍ୟବସ୍ଥା ପାଇଁ ମହାପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଏହି ବ୍ୟବସ୍ଥା ହଟାଇବାକୁ ଆଜିର ବୈଠକରେ କୌଣସି ନିଆଯାଇପାରେ ବୋଲି ଶୁଣିବାକୁ ମିଳୁଛି।

Comment