ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ପୁରୀରେ ପର୍ଯ୍ୟଟକମାନଙ୍କ ପାଇଁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ଏଣିକି ୧୨ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନଙ୍କ ଉପରେ ପ୍ରଶାସନର ତୀକ୍ଷ୍ଣ ନଜର ରହିବ। ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, କେରଳ, ଗୁଜୁରାଟ ପ୍ରମୁଖ ରାଜ୍ୟମାନଙ୍କରୁ ଆସିଥିବା ପର୍ଯ୍ୟଟକଙ୍କୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ରାଜ୍ୟର ପର୍ଯ୍ୟଟକମାନେ ୭୨ଘଣ୍ଟା ମଧ୍ୟରେ କରିଥିବା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଦେଖାଇଲେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଯଦି କୌଣସି ବ୍ୟକ୍ତି ନେଗେଟିଭ୍ ରିପୋର୍ଟ ନନେଇ ଆସେ, ତେବେ ୭ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବେ। କରୋନା ସ୍ଥିତି ସମୀକ୍ଷା କରିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।

ପୂର୍ବରୁ ଜଗନ୍ନାଥଙ୍କ ଦର୍ଶନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ସମସ୍ତଙ୍କୁ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ମନ୍ଦିର ଭିତରକୁ ଯିବାକୁ ପଡ଼ିବ। ସାନିଟାଇଜ୍ କରିବା ପାଇଁ ସପ୍ତାହର ପ୍ରତି ରବିବାର ଦିନ ମନ୍ଦିର ବନ୍ଦ ରଖାଯାଉଛି।

Comment