ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ୟାଙ୍ଗଷ୍ଟର ଟିଟୋର ବ୍ୟବସାୟ ପ୍ରତିଷ୍ଠାନକୁ ସିଲ୍ କରିଛି କ୍ରାଇମବ୍ରାଞ୍ଚ। ଆକାଉଣ୍ଟ ସିଜ୍ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ।
କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀର ବ୍ୟବସାୟ ପ୍ରତିଷ୍ଠାନକୁ ଶନିବାର ସିଲ୍ କରିଛି କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଟିମ୍।
ଶୁକ୍ରବାର ଦିନ କ୍ରାଇମବ୍ରାଞ୍ଚ ପକ୍ଷରୁ ଟିଟୋର ଘର ସମେତ ବ୍ୟବସାୟ ପ୍ରତିଷ୍ଠାନ ଉପରେ ରେଡ୍ କରିଥିଲା କ୍ରାଇମବ୍ରାଞ୍ଚ। କେନ୍ଦ୍ରାପଡ଼ା ସମେତ ପାରାଦୀପରେ ଥିବା ବ୍ୟବସାୟ ପ୍ରତିଷ୍ଠାନରେ ଖୋଳତାଡ଼ କରିଥିଲା।
ଶନିବାରଦିନ ଏସବୁ ସାମ୍ରାଜ୍ୟକୁ ସିଲ୍ କରାଯାଇଛି। ଏହାସହ ୨୫ଟି ଗାଡ଼ିକୁ ଜବତ କରାଯାଇଛି। ଏହାସହ କେନ୍ଦ୍ରାପଡ଼ାସ୍ଥିତ ପେଟ୍ରୋଲ ପମ୍ପ୍, ମଠ, ଚ୍ୟାମ୍ବର, ସିମ୍ରନ୍ ଗାରମେଣ୍ଟେ, ମେବାଇଲ୍ ଦୋକାନକୁ ସିଲ୍ କରିବା ସହ ସିସିଟିଭି ହାଡ୍ଡିସ୍କକୁ ଜବତ କରିଛି କ୍ରାଇମବ୍ରାଞ୍ଚ।
ଶୁକ୍ରବାର ଚଢାଉ ସମୟର ଟିଟୋର ଘରୁ ଅନେକ ଗୁଡ଼ିଏ କାଗଜପତ୍ର ସହିତ ବ୍ୟାଙ୍କ ପାସବୁକ୍ ଜବତ କରିଥିଲା କ୍ରାଇମବ୍ରାଞ୍ଚ। ଏହି ଆକାଉଣ୍ଟ ଗୁଡ଼ିକୁ ଫ୍ରିଜ୍ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ମୁଖ୍ୟ ହିମାଂଶୁ ଲାଲ ସୂଚନା ଦେଇଛନ୍ତି।
୫ ଦିନିଆ ରିମାଣ୍ଡରେ ଥିବା ଟିଟୋର ଅବଧି ରବିବାର ଶେଷ ହେଉଛି। ରିମାଣ୍ଡ ବେଳେ ଟିଟୋଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ।
ଟିଟୋ ଗିରଫ ହେବା ପରେ ପ୍ରଶାସନିକ ଅଧିକାରୀ, ଠିକାଦାର, ରାଜନେତାଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ଟିଟୋ ଜିଲ୍ଲାରେ ବହୁ ବାଲି ଘାଟ ନିଲାମ ନେଇଥିବା ଜଣାପଡ଼ିଛି। ଟିଟୋର ବେଆଇନ କାରବାର ପଛରେ କାହାର ହାତ ରହିଛି ତାହା ରିମାଣ୍ଡ ବେଳେ କ୍ରାଇମବ୍ରାଞ୍ଚ ଅଧିକାରୀ ଜାଣିବାକୁ ପାଇଛନ୍ତି।
ଅନ୍ୟପଟେ ଟିଟୋର ସହେଯାଗୀ ସେକ୍ ଚନୋକୁ ଆଜି କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ନେଇଛି। ଚନୋ ପାଖରୁ ଟିଟୋର ଅପରାଧିକ ଓ ଟେଣ୍ଡର ଫିକ୍ସିଂ ସଂପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି।
ଟିଟୋ ଘରୁ କାଶ୍ମୀର ଲେଖାଥିବା ଏକ ବହିକୁ କ୍ରାଇମବ୍ରାଞ୍ଚ ପାଇଥିବା କୁହାଯାଉଛି। ଟିଟୋର ଅଣ୍ଡରୱାର୍ଲ୍ଡ ଡନ୍ କିମ୍ବା ଆତଙ୍କବାଦୀ ସଙ୍ଗଠନ ସହ ଲିଙ୍କ୍ ଥାଇପାରେ ବୋଲି ସନ୍ଦେହ କରାଯାଉଛି।








ଗ୍ୟାଙ୍ଗଷ୍ଟର ଟିଟୋର ବ୍ୟବସାୟ ପ୍ରତିଷ୍ଠାନକୁ ସିଲ୍ କରିଛି କ୍ରାଇମବ୍ରାଞ୍ଚ। ଆକାଉଣ୍ଟ ସିଜ୍ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ।






