ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ ଯେ କୌଣସି ଭାରତୀୟ ଭାଷାରେ ରାଜ୍ୟସଭା ସଦସ୍ୟମାନେ ଗୃହରେ କହିପାରିବେ

ଏଣିକି ରାଜ୍ୟସଭା ସଦସ୍ୟମାନେ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ ଯେ କୌଣସି ଭାରତୀୟ ଭାଷାରେ ଗୃହରେ କହିପାରିବେ। ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ସଂସଦର ମୌସୁମୀ ଅଧିବେଶନରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଗୃହ ମଧ୍ୟରେ ସମ୍ବିଧାନ ସ୍ୱୀକୃତ ୨୨ଟି ଭାଷାକୁ ରାଜ୍ୟସଭାର ସଦସ୍ୟମାନେ ବ୍ୟବହାର କରିପାରିବେ। ଗୋଟିଏ ସମୟରେ ସବୁ ଭାଷାର ଅନୁବାଦ ଦିଗରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏ ସଂପର୍କିତ ସୂଚନା ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ ।

ପୂର୍ବରୁ ରାଜ୍ୟସଭାରେ ୧୨ଟି ଭାଷାର ଅନୁବାଦ ବ୍ୟବସ୍ଥା ରହିଥିଲା। ଏଥିପାଇଁ ବ୍ୟାଖ୍ୟାକାରମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ଭାଷାଗୁଡ଼ିକ ହେଲା ଓଡ଼ିଆ, ଆସାମୀ, ବଙ୍ଗାଳି, ଗୁଜରାଟୀ, ହିନ୍ଦି, କନ୍ନଡ଼, ମାଲାୟାଲମ୍‌, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ।

୫ଟି ଭାଷା ପାଇଁ ଲୋକସଭାର ବ୍ୟାଖ୍ୟାକାର ବା ଅନୁବାଦକମାନଙ୍କ ସହାୟତା ନିଆଯାଉଥିଲା। ଏହି ୫ଟି ଭାଷା ହେଲା ବୋଡ଼ୋ, ମୈଥିଳୀ, ମଣିପୁରୀ, ମରାଠୀ ଏବଂ ନେପାଳୀ। ଏବେ ଯେଉଁ ୫ଟି ଭାଷା ପାଇଁ ବ୍ୟାଖ୍ୟାକାର ନିଯୁକ୍ତି ଦିଆଯାଇଛି ସେଗୁଡ଼ିକ ହେଲା ସାନ୍ତାଳୀ, ଡୋଗ୍ରୀ, କାଶ୍ମିରୀ, କୋଙ୍କଣି ଏବଂ ସିନ୍ଧି। ଏହି ଭାଷାଗୁଡ଼ିକ ପାଇଁ ବ୍ୟାଖ୍ୟାକାରମାନଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଭେଙ୍କୟା ନାଇଡୁ କହିଛନ୍ତି। ଏସବୁ ବ୍ୟତୀତ ସଂସ୍କୃତ ଭାଷାର ବ୍ୟାଖ୍ୟା ପାଇଁ ବ୍ୟବସ୍ଥା ମଧ୍ୟ ରହିଛି ।

ରାଜ୍ୟସଭା ସଦସ୍ୟମାନଙ୍କୁ ମାତୃଭାଷାରେ କହିବାର ସୁଯୋଗ ସଂପର୍କରେ ଭେଙ୍କୟା ନାଇଡୁ କହିଛନ୍ତି ଯେ ମାତୃଭାଷା ହିଁ ନିଜର ଭାବନା ଏବଂ ଅନୁଭୂତି ପରିପ୍ରକାଶର ସର୍ବୋତ୍କୃଷ୍ଟ ମାଧ୍ୟମ। ସଂସଦରେ ବହୁଭାଷୀ ସଦସ୍ୟଙ୍କ ସମାଗମ ହୋଇଥାଏ। ତେଣୁ କୌଣସି ସଦସ୍ୟ ନିଜ ଭାବନାର ଉପଯୁକ୍ତ ପରିପ୍ରକାଶରେ ନିଜକୁ ଅକ୍ଷମ ମଣିବା ଠିକ୍‌ ନୁହେଁ। ଏହାକୁ ହୃଦୟଙ୍ଗମ କରି ଏହି ବ୍ୟବସ୍ଥା କରାଯାଇଛି।

ରାଜ୍ୟସଭାରେ ନୂତନ ଭାବେ ସ୍ଥାନ ପାଇଥିବା ୫ଟି ଭାଷାର ବ୍ୟାଖ୍ୟାକାରଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବିଭିନ୍ନ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନର ସହଯୋଗ ନିଆାଯାଇଛି। ଏହିସବୁ ନୂତନ ଭାଷାରେ ଗୃହରେ କହିବାକୁ ଚାହୁଁଥିବା ସଦସ୍ୟମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ନୋଟିସ୍‌ ଦେବା ଆବଶ୍ୟକ ବୋଲି ରାଜ୍ୟସଭା ସଚିବାଳୟ ପକ୍ଷରୁ କୁହାଯାଇଛି।

Comment