ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଶାନ୍ତିଲତା ବାରିକ ଛୋଟରାୟଙ୍କ ଏକ ବହୁ ଜନାଦ୍ରୁତ ଭଜନ ହେଲା ବାଲିରେଣୁ ମହାବନ୍ଧ ସୁଜନ ହେ ଆସନ୍ତୁ ଜାଣିବା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ରଚିତ ଏହି ଗୀତ ପଛର କାହାଣୀ

ସେତେବେଳକୁ ଭଜନ ଗାୟିକା ଭାବେ ଶାନ୍ତିଲତା ବାରିକଙ୍କର ଢେର ଲୋକପ୍ରିୟତା ଆସି ସାରିଥାଏ। ସେହି ସମୟରେ ଅନ୍ୟ ଭକ୍ତିଗୀତ କଣ୍ଠଶିଳ୍ପୀମାନେ ଭିନ୍ନ ଭିନ୍ନ ଧରଣର ଭଜନ ଗାଉଥା’ନ୍ତି। କେହି ଆଧୁନିକ ଗୀତିକାରଙ୍କ ଗୀତ ବୋଲି ଚର୍ଚ୍ଚାକୁ ଆସୁଥା’ନ୍ତି ଓ ପୁଣି କେହି ପ୍ରାଚୀନ କବିମାନଙ୍କର ଭଜନ ଗାଇ ଲୋକପ୍ରିୟତା ହାସଲ କରୁଥା’ନ୍ତି।

କଣ୍ଠଶିଳ୍ପୀ ଶାନ୍ତିଲତା ପୁରାତନ ରଚନାର ଭଜନ ଓ ଜଣାଣ ଗାଇବାକୁ ସବୁଠାରୁ ବେଶୀ ପସନ୍ଦ କରୁଥାନ୍ତି। ତାଙ୍କର ଇଛା ହେଉଥାଏ କୌଣସି କମର୍ସିଆଲ୍ ଭଜନ କ୍ୟାସେଟ୍‌ ବା ରେକର୍ଡିଂରେ ପୁରାତନ ଗୀତ ସ୍ଥାନ ପାଉ।

ଏଭଳି ସମୟରେ ଜେ.ଇ. କମ୍ପାନିର  ସତ୍ତ୍ୱାଧିକାରୀ ସତ୍ୟ ନାରାୟଣ ଅଗ୍ରୱାଲ୍ ଶାନ୍ତିଲତାଙ୍କୁ ଏଭଳି ଏକ ସୁଯୋଗ ଦେଇଥିଲେ। ୧୯୮୧ ମସିହାର କଥା। ଶାନ୍ତିଲତାଙ୍କୁ ପୁରାତନ ରଚନାରୁ କୌଣସି ଭକ୍ତିଗୀତର ସ୍ୱର କରିବା ସହିତ ସେଥିରେ କଣ୍ଠଦାନ କରିବାର ପ୍ରସ୍ତାବ ଦିଅନ୍ତି ପ୍ରଯୋଜକ।

ଏହାପରେ ଶାନ୍ତିଲତା ଚିନ୍ତା କଲେ, କେଉଁ ଭକ୍ତିଗୀତକୁ ପ୍ରଥମେ ଗାଇବେ। ତାଙ୍କ ମନକୁ ଆସିଥିଲା ‘ବାଲିରେଣୁ ମହାବନ୍ଧ ସୁଜନ ହେ ବାଲିରେଣୁ ମହାବନ୍ଧ’, ଦୋମୁହାଁ ସର୍ପକୁ ଭୟ ନ କରିଣ ସିଂହ ଚଢେ ଗଜ କନ୍ଧ। ଏହାର ରଚୟିତା ହେଲେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ।

ଶାନ୍ତିଲତା ନିଜେ ହିଁ ଏହି ଭଜନର ସ୍ୱର ସଂଯୋଜନା କରି ପ୍ରଯୋଜକଙ୍କୁ ଶୁଣାଇଥିଲେ। ଗୀତର ଭାବ ଓ ସ୍ୱର ଶୁଣି ପ୍ରଯୋଜକ ଖୁସି ହୋ‍ଇଯାଇଥିଲେ। ଏହାର କିଛିଦିନ ପରେ ଗୀତଟି ରେକର୍ଡ କରାଯାଇଥିଲା। ଗୀତଟିକୁ ଗୋଟିଏ ଟେକ୍‌ରେ ଗାଇଥିଲେ ଶାନ୍ତିଲତା।

ସେହି ଗୀତ ଶୁଣିବା ମାତ୍ରେ ଷ୍ଟୁଡିଓରେ ଥିବା ଲୋକେ କହିଥିଲେ ଏହା ଦିନେ ନିଶ୍ଚୟ ସୁପରହିଟ୍ ହେବ। ତାହା ସତ୍ୟ ପ୍ରମାଣିତ ହୋଇଥିଲା।

ଓଡ଼ିଶାଲାଇଭ୍‍ ସହ କଥାବାର୍ତ୍ତା ବେଳେ ଏହି ଅଜଣା ଅଧ୍ୟାୟକୁ ମନେପକାଇଛନ୍ତି ଗାୟିକା ଶାନ୍ତିଲତା। “ବାଲିରେଣୁ ମହାବନ୍ଧ ସୁଜନ ହେ ଭଜନକୁ ମୁଁ ସର୍ବପ୍ରଥମେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ନେମାଳ ଗାଦିରେ ଗାଇଥିଲି। ତା’ପରେ ମୁଁ ଆକାଶବାଣୀରେ ମଧ୍ୟ ସେହି ଗୀତଟି ଗାଇଥିଲି, ଯାହା ବେଶ୍‍ ଆଦ୍ରୁତ ହୋଇଥିଲା”, କହିଛନ୍ତି ଶାନ୍ତିଲତା।

ଶାନ୍ତିଲତା ଆହୁରି ମଧ୍ୟ କହନ୍ତି ଯେ ସେ ଯେଉଁ ମଞ୍ଚରେ ଭଜନ ପରିବେଷଣ କରିବାକୁ ଯାଆନ୍ତି, ସେଠାରେ ଶ୍ରୋତା ଓ ଦର୍ଶକଙ୍କଠାରୁ ‘ବାଲିରେଣୁ ମହାବନ୍ଧ ସୁଜନ ହେ’ ଗାଇବାକୁ ଦର୍ଶକମାନେ ଅନୁରୋଧ କରନ୍ତି। ଏମିତି କୌଣସି ଭଜନ କାର୍ଯ୍ୟକ୍ରମ ନାହିଁ, ଯେଉଁଠି ସେ ଯାଇଛନ୍ତି, ଅଥଚ ଏହି ଗୀତଟି ଗାଇନାହାନ୍ତି।

‘ବାଲିରେଣୁ ମହାବନ୍ଧ ସୁଜନ ହେ’ ଭଜନଟିକୁ ନେମାଳ ଗାଦିରେ ଗାଇଲେ ତାଙ୍କୁ ସବୁଠାରୁ ବେଶୀ ଶାନ୍ତି ଓ ଆତ୍ମସନ୍ତୋଷ ମିଳିଥାଏ ବୋଲି କହନ୍ତି ଶାନ୍ତିଲତା।

ଶାନ୍ତିଲତା ବାରିକ ଛୋଟରାୟଙ୍କ ଏହି ଲୋକପ୍ରିୟ ଭକ୍ତିଗୀତ ଓଡ଼ିଶାଲାଇଭର ଡିଜିଟାଲ ମିଡିଆରେ ସ୍ଥାନ ପାଇଛି। ଦେଶବିଦେଶର ହଜାର ହଜାର ଦର୍ଶକ ଏହାକୁ ଦେଖିବାକୁ ସୁଯୋଗ ପାଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଏହି ଗୀତର ଲିଙ୍କ୍‍ ନିଜ ନିଜର ସୋସିଆଲ ମିଡିଆରେ ସେୟାର ମଧ୍ୟ କରୁଛନ୍ତି।

Comment