ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ସାମିଲ୍ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରଥାରୂଢ଼ ଜଗନ୍ନାଥ, ବଳଭଦ୍ର ଏବଂ ମା’ ସୁଭଦ୍ରାଙ୍କୁ ଦର୍ଶନ କରିବା ସହ ପୁରୀ ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ। ଶଙ୍କରାଚାର୍ଯ୍ୟଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ ବୋଲି କହିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, “ଆଜି ହେଉଛି ଓଡିଶା ପାଇଁ ସୌଭାଗ୍ୟର ଦିନ। ପବିତ୍ର ରଥଯାତ୍ରା ଅବସରରେ ଓଡିଶାର ଦୁଇଜଣ ମହାନ୍ ବ୍ୟକ୍ତିତ୍ୱ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ନୃତ୍ୟଶିଳ୍ପୀ ସୋନାଲ ମାନସିଂଙ୍କୁ ରାଜ୍ୟସଭା ପାଇଁ ରାଷ୍ଟ୍ରପତି ମନୋନୀତ କରିଛନ୍ତି। ଆଜି ଭଳି ଦିନରେ ଓଡ଼ିଶା ପାଇଁ ଖୁସି ଖବର କିଛି ନାହିଁ।”

ଧର୍ମେନ୍ଦ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭାରତ ସରକାର ଓଡ଼ିଶାର ସଂସ୍କୁତି ଏବଂ ଲୋକକଳାକୁ ସମ୍ମାନିତ କରିଛନ୍ତି ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଦୀର୍ଘ ବର୍ଷ ପୂର୍ବେ ପୁରୀର ଶ୍ରୀମନ୍ଦିର, କୋଣାର୍କର ସୂର୍ଯ୍ୟମନ୍ଦିର ହେଉ ଅବା ଲିଙ୍ଗରାଜ ମନ୍ଦିର ନିର୍ମାଣରେ ବିଶିଷ୍ଟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପୂର୍ବଜମାନଙ୍କର ଅବଦାନ ଥିଲା। ସେହି ପରମ୍ପରାକୁ ଆଜି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସମ୍ମାନିତ କରି ଏହି ପରମ୍ପରାକୁ ସ୍ୱୀକୃତି ଦେଇଛନ୍ତି।

Comment