ଓଡ଼ିଶାଲାଇଭ୍ ବ୍ୟୁରୋ
ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବିବେଚନା କରୁଥିବା ସମ୍ବିଧାନର ଧାରା ୩୭୭ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ପୂର୍ବ ରାୟକୁ ସଂରକ୍ଷିତ ରଖିଛନ୍ତି। ପୂର୍ବ ସପ୍ତାହଠାରୁ ଆରମ୍ଭ ହୋଇଥିବା ମାରାଥନ୍ ଶୁଣାଣି ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ରୁଲିଂ ଦେଇଛନ୍ତି। ସମସ୍ତ ପକ୍ଷକୁ ଶୁକ୍ରବାର ସୁଦ୍ଧା ସତ୍ୟପାଠ ଜରିଆରେ ନିଜର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗୁରୁବାର ପୂର୍ବ ରାୟକୁ ସଂରକ୍ଷିତ ରଖିବା ସହ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବାକୁ ରାଜି ହୋଇଥିଲେ।
ସୁପ୍ରିମକୋର୍ଟରେ ଦୀର୍ଘ ୯୦ ମିନିଟ୍ ଧରି ଉଭୟ ପକ୍ଷ ଯୁକ୍ତି ରଖିଥିଲେ। ଆବେଦନକାରୀ ଓକିଲ ମନୋଜ ଗର୍ଗ ଆଜି ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଶ୍ରେଣୀରେ ରଖିବାକୁ ଯୁକ୍ତି ଉପସ୍ଥାପନ କରିଥିଲେ। ସୁପ୍ରିମକୋର୍ଟ ୨୦୧୩ରେ ଦେଇଥିବା ରାୟକୁ କାଏମ୍ ରଖିବା ଦରକାର ବୋଲି ସେ ଦର୍ଶାଇଥିଲେ।
ଧାରା ୩୭୭ ଉପରେ ଗତ ବୁଧବାର ଦିନ କେନ୍ଦ୍ର ସରକାର ଏକ ସତ୍ୟପାଠ ଦାଖଲ କରି ସବୁ ଦାୟିତ୍ବ ସୁପ୍ରିମକୋର୍ଟଙ୍କ ଉପରେ ନ୍ୟସ୍ତ କରିଥିଲେ। ସୁପ୍ରିମକୋର୍ଟ ୩୭୭ ଧାରା ଉପରେ ଯାହା ନିଷ୍ପତ୍ତି ନେବେ ସେଥିରେ ସରକାର କୌଣସି ହସ୍ତକ୍ଷେପ କରିବେ ନାହିଁ।
୨୦୦୯ରେ ଦିଲ୍ଲୀ ହାଇକୋର୍ଟ ସମଲିଙ୍ଗୀ ଯୌନ ସମ୍ପର୍କକୁ ବୈଧ ବୋଲି କହିଥିଲେ। ୨୦୧୩ରେ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ସୁରେଶ କୁମାର କୌଶଲ୍ ବନାମ ନାଜ ଫାଉଣ୍ଡେସନ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣି କରି ଏହାକୁ ଅପରାଧ ବୋଲି କହିଥିଲେ। ମେ’ ମାସରେ ସୁପ୍ରିମକୋର୍ଟ ଧାରା ୩୭୭ର ବୈଧତା ସମ୍ପର୍କରେ ଶୁଣାଣି କରିବେ ବୋଲି ରାଜି ହୋଇଥିଲେ।

















