ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‌ ଶୁଭାଶିଷ ତଲାପାତ୍ର। ସୁପ୍ରିମକୋର୍ଟ କୋଲେଜିୟମ୍‌ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବା ପାଇଁ ତାଙ୍କ ନାମ ସୁପାରିସ କରିଛନ୍ତି। ସେ ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ ଦାୟିତ୍ଵ ତୁଲାଉଛନ୍ତି।

ଓଡ଼ିଶା ହାଇକୋର୍ଟରେ ଏବେ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏସ ମୁରଲୀଧର ଆସନ୍ତା ଅଗଷ୍ଟ ମାସରେ ଅବସର ନେବେ। ସେ ୨୦୨୧ ମସିହା ଜାନୁଆରି ୪ ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଏବେ ତାଙ୍କ ପରେ ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ୍‌ ଶୁଭାଶିଷ ତଲାପାତ୍ରଙ୍କ ନାମକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି।

ଜଷ୍ଟିସ୍‌ ଶୁଭାଶିଷ ତଲାପାତ୍ରଙ୍କ ଜନ୍ମ ୧୯୬୧ ମସିହା ଅକ୍ଟୋବର ୪ ତାରିଖରେ ତ୍ରିପୁରାର ଉଦୟପୁରରେ ହୋଇଥିଲା। ସେ କଲିକତା ବିଶ୍ଵବିଦ୍ୟାଳୟରୁ ଆଇନ୍‌ରେ ସ୍ନାତକ ହାସଲ କରିବାପରେ ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର ଆଦି ଉତ୍ତରପୂର୍ବ ରାଜ୍ୟର ବିଭିନ୍ନ ଅଦାଲତରେ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ।

ସେ ୨୦୧୧ ମସିହା ନଭେମ୍ବର ୧୫ରେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ୨୦୨୨ ଜୁନ୍‌ ୧୦ ତାରିଖରେ ସେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।

Tags: #JusticeSubhasisTalapatra #ChiefJustice #OdishaHighcourt

 

Comment