ଓଡ଼ିଶାଲାଇଭ୍ ବ୍ୟୁରୋ

ଜଷ୍ଟିସ ଶୁଭାଶିଷ ତଲାପାତ୍ର ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି। ମଙ୍ଗଳବାର ହାଇକୋର୍ଟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କୁ ଶପଥ ପାଠ କରାଇଛନ୍ତି। ସେ ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି।

ଜଷ୍ଟିସ ଶୁଭାଶିଷ ତଲାପାତ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଏସ ମୁରଲୀଧରଙ୍କ ସ୍ଥାନ ନେଇଛନ୍ତି। ଜଷ୍ଟିସ ଏସ ମୁରଲୀଧର ୨୦୨୧ ମସିହା ଜାନୁଆରି ୪ ତାରିଖରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦୟିତ୍ୱ ତୁଲାଉଥିଲେ। ତାଙ୍କ ପରେ ଜଷ୍ଟିସ ଶୁଭାଶିଷ ତଲାପାତ୍ରଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ ସୁପ୍ରିମକୋର୍ଟ କୋଲେଜିୟମ।

ଜଷ୍ଟିସ୍‌ ଶୁଭାଶିଷ ତଲାପାତ୍ରଙ୍କ ଜନ୍ମ ୧୯୬୧ ମସିହା ଅକ୍ଟୋବର ୪ ତାରିଖରେ ତ୍ରିପୁରାର ଉଦୟପୁରରେ ହୋଇଥିଲା। ସେ କଲିକତା ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକ ହାସଲ କରିବାପରେ ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର ଆଦି ଉତ୍ତରପୂର୍ବ ରାଜ୍ୟର ବିଭିନ୍ନ ଅଦାଲତରେ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ।

୨୦୧୧ ମସିହା ନଭେମ୍ବର ୧୫ ତାରିଖରେ ଜଷ୍ଟିସ ତଲାପାତ୍ର ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୩ ସେପ୍ଟେମ୍ବର ୧୩ ତାରିଖରେ ତ୍ରିପୁରାରେ ନୂଆ ହାଇକୋର୍ଟ ପ୍ରତିଷ୍ଠା ହେବାପରେ ସେ ତ୍ରିପୁରା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ।

ଜଷ୍ଟିସ ତଲାପାତ୍ର ୨୦୧୮ ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏହାପରେ ୨୦୨୨ ଜୁନ୍‌ ୧୦ ତାରିଖରୁ ସେ ଓଡିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଥିଲେ।।

Tags: #JusticeSubhasisTalapatra #ChiefJustice #OdishaHighcourt

 

Comment