ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭଦ୍ରକ ୧୬ନଂ ଜାତୀୟ ରାଜପଥ ରାହାଞ୍ଜ ଛକଠାରେ ଟ୍ରକ ଧକ୍କା
  • ରାଣିତଲାଓ ଉଚ୍ଚ ବିଦ୍ୟାଳୟର ୫ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ
  • ୫ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି
  • ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରାର୍ଥନା ସଭାରେ ଶୋକ ପାଳନ
  • ମୃତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଶୁକ୍ରବାରଦିନ ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା

ନିଜ ସନ୍ତାନମାନଙ୍କୁ ହରାଇ ବାପାମାଆଙ୍କ ଆଖିରୁ ଲୁହ ଶୁଖୁ ନାହିଁ।। ସହପାଠୀମାନେ ଶୋକରେ ଆତ୍ମହରା। ୫ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାକୁ ନେଇ ଭାଙ୍ଗି ପଡ଼ିଛି ପରିବାର। ସାଙ୍ଗମାନଙ୍କୁ ହରାଇବାର ଦୁଃଖକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସହପାଠୀ। ସ୍କୁଲର ସହପାଠୀମାନେ ଶୁକ୍ରବାର ସ୍କୁଲକୁ ଆସିଥିଲେ ହେଲେ କାହାର ମୁହଁରେ ହସନଥିଲା।

ସହପାଠୀ ରିନା ଜେନା, ମୋନାଲିସା ନାୟକ, ସବିତା ସାହୁ କୁହନ୍ତି, ଆମେ ଏବେ ସୁଦ୍ଧା ବିଶ୍ୱାସ କରୁନାହୁଁ ସେମାନେ ଆଉ ନାହାନ୍ତି। କାରଣ ଏକା ସାଙ୍ଗରେ ସ୍କୁଲରୁ ବାହାରିଥିଲୁ। ଘରେ ପହଞ୍ଚିବା ପରେ ଖବର ପାଇଲୁ ସେ ସେମାନେ ଆଉ ଏ ଦୁନିଆରେ ନାହାନ୍ତି।

ଗୁରୁବାର ଅପରାହ୍ନ ସମୟରେ ଭଦ୍ରକ ରାଣୀତାଲ ନିକଟରେ ଏକ ଟ୍ରକ ମାଡି ଯିବାରୁ ୫ଜଣ ଛାତ୍ରଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଥିଲେ। ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ୧୬ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜାଳି ଦେଇଥିଲେ।

ଗତକାଲି ବିଳମ୍ବିତ ରାତିରେ ୪ଜଣଙ୍କ ଶବ ସଂସ୍କାର କରାଯାଇଥିଲା। ଆଜି ଅନ୍ୟ ଜଣେ ମୃତକଙ୍କ ଶବ ସଂସ୍କାର କରାଯାଇଛି। ଗ୍ରାମରେ ଶୋକାକୁଳ ପରିସ୍ଥିତି ଲାଗିରହିଛି। ନିଜ ସନ୍ତାନ ମାନଙ୍କୁ ହରାଇ ବାପାମାଆ ଶୋକରେ ଆତ୍ମହରା ହୋଇ ପଡିଛନ୍ତି।

ଅନ୍ୟ ପକ୍ଷରେ ରାଣୀତାଲ ହାଇସ୍କୁଲରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରାର୍ଥନା ସଭାରେ ଶୋକ ପାଳନ କରିଛନ୍ତି। ମୃତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଶୁକ୍ରବାରଦିନ ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା କରି ଦିଆଯାଇଛି। ମୃତକଙ୍କ ସହପାଠୀମାନଙ୍କ ଆଖିରୁ ଲୁହ ଶୁଖି ନାହିଁ। ସମସ୍ତେ ଶୋକ ପ୍ରକାଶ କରି ସ୍କୁଲରୁ ଘରକୁ ଫେରିଛନ୍ତି।

ଏହି ଦୁର୍ଘଟଣାରେ ଆହତ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଗୁରୁବାର ଦିନ ସ୍ଥାନୀୟ କଟକ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟ ଆହତ ମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଜଣାପଡ଼ିଛି।

ଦୁର୍ଘଟଣାରେ ମୃତାହତ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ରାଣୀତାଲ ବଜାର ନିକଟସ୍ଥ ରାହାଞ୍ଜ ପଞ୍ଚାୟତ ହାଇସ୍କୁଲର ନବମ ଶ୍ରେଣୀରେ ପଢ଼ୁଥିଲେ। ସମସ୍ତଙ୍କ ଘର ସ୍କୁଲଠାରୁ ପ୍ରାୟ ୧ କିମି ଦୂର ରାହାଞ୍ଜ ପଞ୍ଚାୟତ ଅଧୀନ ଅସୁରା ହାଟସାହି ଗାଁରେ। ତେଣୁ ପ୍ରତିଦିନ ସେମାନେ ସାଇକେଲରେ ସ୍କୁଲକୁ ଯିବାଆସିବା କରନ୍ତି।

ଘଟଣାଦିନ ୧୬ ନମ୍ବର ଜାତୀୟ ରାଜପଥ ଉପରେ ବାଲେଶ୍ୱର ଆଡ଼ୁ ଆସୁଥିବା ଏକ ଧାନ ବୋଝେଇ ୧୦ ଚକିଆ ଟ୍ରକ୍‌ ମାଡ଼ିଯିବାରୁ ୩ ଛାତ୍ରୀ ପ୍ରିୟମ୍ବଦା ମହାନ୍ତି, ଶ୍ୱେତା ସାହୁ, କଳ୍ପନା ଜେନା ଏବଂ ୨ ଛାତ୍ର ସୁକାନ୍ତ ସାହୁ ଓ ସତ୍ୟବ୍ରତ ବାରିକଙ୍କ ମୃତ୍ୟୁ ହୋଇଯାଇଥିଲା।

Comment